ଇସ୍ରାଏଲ-ପାଲେଷ୍ଟାଇନ୍‌ ଲଢେଇ: ବିଫଳ ହୋଇଛି ଇସ୍ରାଏଲ ଗୁଇନ୍ଦା

ଜେରୁଜେଲମ,୮।୧୦: ପାଲେଷ୍ଟାଇନ୍‌ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ର ଆକ୍ରମଣରେ ଥରି ଉଠିଛି ଗାଜା ବର୍ଡର। ଇସ୍ରାଏଲ ଉପରେ ହମାସ୍‌ର ରକେଟ ଆକ୍ରମଣରେ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ହମାସ୍‌ ଗୋଷ୍ଠୀ ପାରାଗ୍ଲାଇଡ ଓ ସମୁଦ୍ର ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିଲେ। ଏସବୁ ପରେ ବି ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଓ ଇସ୍ରାଏଲୀ ଗୁଇନ୍ଦାଙ୍କୁ କୌଣସି ସୂଚନା ନ ଥିଲା। ତେବେ ଇସ୍ରାଏଲ ପ୍ରତିରକ୍ଷା ବିଭାଗର ପୂର୍ବତନ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଜୋନାଥନ କାନ୍ରିକସ କହିଛନ୍ତି, ବର୍ତ୍ତମାନ ଲୋକଙ୍କ ଜୀବନ ରକ୍ଷା କରିବା ଏବଂ ଆତଙ୍କବାଦୀଙ୍କୁ ହଟାଇବା ଉପରେ ଧ୍ୟାନ ଦିଆଯାଇଛି। ପ୍ରତିରକ୍ଷା ବିଭାଗ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଏ ବିଷୟରେ ଅବଗତ ନ ଥିଲା। ଯାହା ପ୍ରତିରକ୍ଷା ବିଭାଗର ଏକ ବଡ଼ ବିଫଳତା।

ସେ ଆହୁରି କହିଛନ୍ତି, ଇସ୍ରାଏଲ ନାଗରିକମାନେ ଏ ବାବଦରେ କଠୋର ପ୍ରଶ୍ନ ପଚାରିବେ ଏବଂ ଏହାର ଉତ୍ତର ଖୋଜାଯିବ। କିନ୍ତୁ ବର୍ତ୍ତମାନ ମୋର ପରାମର୍ଶ ହେଉଛି ଏହି ପ୍ରସଙ୍ଗଗୁଡିକ ବର୍ତ୍ତମାନ ପାଇଁ ଛାଡ଼ି ଦିଆଯାଉ। ବର୍ତ୍ତମାନ ଯାହା କରିବା ଆବଶ୍ୟକ ତାହା ହେଉଛି ସବୁ ଆତଙ୍କବାଦୀଙ୍କୁ ଖୋଜି ଯଥାଶୀଘ୍ର ସେମାନଙ୍କୁ ହତ୍ୟା କରିବା। ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଘାତକ ଆକ୍ରମଣ ପାଇଁ ହମାସ୍‌କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡିବ।

Share