ହମାସ୍‌-ଇସ୍ରାଏଲ୍‌ ଘମାଘୋଟ ଲଢ଼େଇ: ଆକ୍ରମଣକୁ ଭାରତ, ଆମେରିକାର ନିନ୍ଦା

ଜେରୁଜେଲମ,୮। ୧୦: ପାଲେଷ୍ଟାଇନ୍‌ର ବିଦ୍ରୋହୀ ଗୋଷ୍ଠୀ ହମାସ୍‌ ଶନିବାର ସକାଳେ ଇସ୍ରାଏଲ୍‌ ଉପରେ ଅଚାନକ ଆକ୍ରମଣ କରିବାରୁ ଶତାଧିକ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇବା ସହ ପ୍ରାୟ ୭୪୦ ଲୋକ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍‌ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଫଳରେ ହମାସ୍‌ ବିଦ୍ରୋହୀ ଓ ଇସ୍ରାଏଲ୍‌ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ଏଥିରେ ୩୦୦ରୁ ଉର୍ଦ୍ଧ୍ୱ ନିହତ ହେଲେଣି। ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ର ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୯୮ ଜଣ ପାଲେଷ୍ଟିନୀୟ ନିହତ ହେବା ସହ ୧,୬୧୦ ଜଣ ଆହତ ହୋଇଛନ୍ତି।

ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ବିବାଦକୁ ନେଇ ଦୀର୍ଘଦିନର ହିଂସା ପରେ ଶନିବାର ଏହା ବିସ୍ଫୋରକ ରୂପ ନେଇଛି। ହମାସ ବିଦ୍ରୋହୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଇସ୍ରାଏଲ୍‌ ଉପରେ ହଜାର ହଜାର ରକେଟ ଆକ୍ରମଣ କରିବା ପରେ ଏହାର ବିଭିନ୍ନ ସହରରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ହତ୍ୟା କରିଚାଲିଥିଲେ। ଆତଙ୍କାଦୀମାନେ ମୋଟରସାଇକେଲ, କାର୍‌ ଏବଂ ପାରାଗ୍ଲାଇଡରରେ ଅପ୍ରତ୍ୟାଶିତ ଭାବେ ଦକ୍ଷିଣ ଇସ୍ରାଏଲ୍‌ର ସହରଗୁଡ଼ିକରେ ପ୍ରବେଶ କରିଥିଲେ। ସାଧାରଣ ଲୋକଙ୍କ ଉପରକୁ ସେମାନେ ଗୁଳି ଚଳାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୟଭୀତ ଇସ୍ରାଏଲୀମାନେ ସେମାନଙ୍କ ସୁରକ୍ଷା ପାଇଁ ସେନାର ସହାୟତା ମାଗିଛନ୍ତି। ୬ ଘଣ୍ଟା ହେଲା ଆମ ଉପରେ ଆକ୍ରମଣ କରାଯାଉଛି। ଏଠାରେ ଆମକୁ ସୁରକ୍ଷା ଦେବା ପାଇଁ କୌଣସି ସୈନ୍ୟ ନାହାନ୍ତି ବୋଲି କିବୁଜ୍‌ରେ ଜଣେ ଇସ୍ରାଏଲୀ କହିଛନ୍ତି।

Share