ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲା ହମାସ: ସମ୍ପୂର୍ଣ୍ଣ ଧ୍ୱଂସ କରିବା ପରେ ହିଁ ଆମେ ଶାନ୍ତି ପାଇବୁ

ଜେରୁଜେଲମ,୨।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକକୁ ଜୋରଦାର କରିଛି। ହମାସର ଅନେକ ବରିଷ୍ଠ ସଦସ୍ୟ ଇସ୍ରାଏଲର ଏହି ଆକ୍ରମଣରେ ଭୟଭୀତ ନ ହୋଇ ତାକୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି। ନିକଟରେ ହମାସର ନେତା ଗାଜି ହମାଦ କହିଛନ୍ତି, ଇସ୍ରାଏଲ ସମ୍ପୂର୍ଣ୍ଣ ଧ୍ୱଂସ ନ ହେବା ପର୍ଯ୍ୟନ୍ତ ଏଭଳି ଆକ୍ରମଣ ଜାରି ରହିବ।
ଏକ ସାକ୍ଷାତକାରରେ ହମାସ ଗୋଷ୍ଠୀର ରାଜନୈତିକ ବ୍ୟୁରୋର ସଦସ୍ୟ ଗାଜି ହମାଦ କହିଛନ୍ତି ଯେ, ଅକ୍ଟୋବର ୭ରେ ଇସ୍ରାଏଲ ବିରୁଦ୍ଧରେ ପ୍ରଥମ ଆକ୍ରମଣ ହୋଇଥିଲା। ଭବିଷ୍ୟତରେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଥର ପାଇଁ ମଧ୍ୟ ଏହିପରି ଆକ୍ରମଣ ପୁନରାବୃତ୍ତି ହେବ। ଆମର ଦୃଢ ଇଚ୍ଛାଶକ୍ତି, ନିଷ୍ଠା ଏବଂ ଲଢିବା ପାଇଁ ସାମର୍ଥ୍ୟ ଅଛି। ହମାସ ମୂଲ୍ୟ ଦେବାକୁ ପ୍ରସ୍ତୁତ। ଆମକୁ (ପାଲେଷ୍ଟାଇନ) ଶହୀଦ ଦେଶ କୁହାଯାଏ ଏବଂ ଶହୀଦଙ୍କ ବଳିଦାନ ପାଇଁ ଆମେ ଗର୍ବିତ। ଇସ୍ରାଏଲକୁ ଆମ ଦେଶ ଛାଡିବାକୁ ପଡିବ। ଆମର ଜମି ଉପରେ ସେମାନଙ୍କର କୌଣସି ଅଧିକାର ନାହିଁ। ଇସ୍ରାଏଲକୁ ଆମେ ଉଚିତ୍‌ ଶିକ୍ଷା ଦେବୁ। ଆମେ ଇସ୍ରାଏଲ ସହିତ ଯାହା କରୁଛୁ ତାହା ସମ୍ପୂର୍ଣ୍ଣ ଠିକ।

Share