କେଉଁ ଅବସ୍ଥାରେ ଅଛନ୍ତି ଇସ୍ରାଏଲର ଅପହୃତ, ଭିଡିଓ ଜାରି କଲା ହମାସ; ଦେଖନ୍ତୁ…

ଜେରୁଜେଲମ,୧୮।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଗତ ୧୦ ଦିନ ଧରି ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍‌ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ହଜାର ହଜାର ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏସବୁ ମଧ୍ୟରେ ହମାସ ଶହ ଶହ ଲୋକଙ୍କୁ ଅପହରଣ କରି ଗାଜା ଷ୍ଟ୍ରିପର ଗୁପ୍ତ ଟନେଲ୍‌ରେ ଲୁଚାଇ ରଖିଛି ବୋଲି କୁହାଯାଉଛି। ଅପରପକ୍ଷେ ଇସ୍ରାଏଲ ପଛକୁ ହଟିଲେ ସମସ୍ତଙ୍କୁ ମୁକ୍ତ କରାଯିବ ବୋଲି ହମାସ କହିଛି। ଏଭଳି ସ୍ଥିତିରେ ହମାସ ଏକ ଫ୍ରାନ୍ସ-ଇସ୍ରାଏଲ ମହିଳାଙ୍କର ଏକ ଭିଡିଓ ରିଲିଜ କରିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉକ୍ତ ମହିଳାଙ୍କ ନାମ ମିଆ ଶେମ ଏବଂ ସେ ରେଭ୍‌ ପାର୍ଟି ପାଇଁ ଆସିଥିଲେ। କିନ୍ତୁ ହମାସ ଆକ୍ରମଣ ପରେ ସବୁକିଛି ବଦଳିଯାଇଛି। ଏବେ ସେ ଅପହୃତା ହୋଇଥିବା ବେଳେ ତାଙ୍କର ଭିଡିଓ ରିଲିଜ କରି ସେମାନେ ପ୍ରଥମ ଦିନରେ ଏହି ଝିଅଙ୍କୁ ବନ୍ଧକ ରଖିଥିବା ହମାସ କହିଛି। ମିଆ ଆହତ ହୋଇ ଖଟ ଉପରେ ପଡ଼ିଥିବା ବେଳେ ତାଙ୍କ ଡାହାଣ ହାତରେ ବ୍ୟାଣ୍ଡେଜ କରାଯାଉଥିବା ଭିଡିଓରେ ଦେଖାଯାଇଛି।

ଭିଡିଓରେ ମିଆ କହିଛନ୍ତି, ଏହି ଲୋକମାନେ ମୋର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। ମୋତେ ଔଷଧ ଦେଉଛନ୍ତି। ଏଠାରେ ସବୁକିଛି ଠିକ ଅଛି। ହେଲେ ଯଥାଶୀଘ୍ର ମୁଁ ମୋ ପିତାମାତା ଏବଂ ଭାଇଭଉଣୀଙ୍କ ନିକଟକୁ ଯିବାକୁ ଚାହୁଁଛି। ଯଥାଶୀଘ୍ର ମୋତେ ଏଠାରୁ ବାହାର କରନ୍ତୁ ବୋଲି ସେ କହିଛନ୍ତି।

ଭିଡିଓ ଦେଖିବା ପରେ ଇସ୍ରାଏଲ କହିଛି ଯେ ହାମାସ ଏପରି ଭିଡିଓ ଶେୟାର କରି ନିଜକୁ ମାନବିକ ସଂଗଠନ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛି। ଯେତେବେଳେ କି ଏହା ଏକ ହତ୍ୟାକାରୀ ଆତଙ୍କବାଦୀ ସଂଗଠନ। ଏହି ସଂଗଠନର ଲୋକମାନେ ଇସ୍ରାଏଲର ଶିଶୁ ଏବଂ ବୃଦ୍ଧ ମହିଳାଙ୍କୁ ହତ୍ୟା କରିଛନ୍ତି। ଏଥି ସହିତ ବଳାତ୍କାର ଭଳି ଘୃଣ୍ୟ କାର୍ଯ୍ୟ ଝିଅମାନଙ୍କ ପ୍ରତି ମଧ୍ୟ କରାଯାଇଛି।

Share