ଇସ୍ରାଏଲ୍ ସ୍ଥଳସେନା ଜୋର୍ଦାର ଆକ୍ରମଣ କରି ଗାଜା ଷ୍ଟ୍ରିପ୍କୁ ଦଖଲ ପାଇଁ ପ୍ରସ୍ତୁତି ଚଳାଇଛି। ତେବେ ସେଠାରେ ହମାସ ଆତଙ୍କବାଦୀଙ୍କ ଗୁପ୍ତ ସୁଡ଼ଙ୍ଗ ଇସ୍ରାଏଲ୍ ସୈନ୍ୟଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ସ୍ଥଳଭାଗରେ ଆକ୍ରମଣ କଲେ ଇସ୍ରାଏଲ୍କୁ ମହଙ୍ଗା ପଡ଼ିପାରେ ବୋଲି ବହୁ ବିଶେଷଜ୍ଞ ସତର୍କ କରାଇଛନ୍ତି। ଗାଜା ଷ୍ଟ୍ରିପ୍ରେ ଅନେକ ଦୀର୍ଘ ଗୁପ୍ତ ସୁଡ଼ଙ୍ଗ ନେଟ୍ଓ୍ବର୍କ ରହିଛି। ଉକ୍ତ ଟନେଲ ନେଟ୍ଓ୍ବର୍କ ଉପରେ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ମୁଖପାତ୍ର କହିଛନ୍ତି। ତେବେ ଏହା ସହଜ ନୁହେଁ। ୨୦୨୧ରେ ହମାସର ୧୦୦ କିଲୋମିଟରରୁ ଅଧିକ ଟନେଲ ନେଟ୍ଓ୍ବର୍କକୁ ଧ୍ୱଂସ କରାଯାଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବି କରିଥିଲା। ତେବେ ସେଠାରେ ୫୦୦ କିଲୋମିଟର ଟନେଲ ନେଟ୍ଓ୍ବର୍କ ରହିଥିବାବେଳେ ମାତ୍ର ୫ ପ୍ରତିଶତ ନଷ୍ଟ ହୋଇଥିବା ହମାସ ନେତା ୟାହୟା ସିନଓ୍ବର କହିଥିଲେ। ଦିଲ୍ଲୀର ଆୟତନ ଗାଜାର ୪ ଗୁଣ ହୋଇଥିବାବେଳେ ମୋଟ ମେଟ୍ରୋ ନେଟ୍ଓ୍ବର୍କ ୩୯୨ କିଲୋମିଟର ରହିଛି। ଏଥିରୁ ଗାଜାରେ ସୁଡଙ୍ଗ ନେଟ୍ଓ୍ବର୍କ କେତେ ଅଧିକ ତାହା ସହଜେ ଅନୁମେୟ।