ସ୍ପା-ଫ୍ରାଙ୍କୋରଚାମ୍ପ୍ସ (ବେଲଜିୟମ), ୨୯ା୮ (ଏପି)-ଜାତିବାଦକୁ ନେଇ ଫର୍ମୁଲା ଓ୍ବାନ୍ ଚାମ୍ପିୟନ ଲୁଇସ୍ ହାମିଲଟନ ରବିବାର ହେବାକୁଥିବା ବେଲଜିଆନ ଗ୍ରାଁପ୍ରିକୁ ବର୍ଜନ କରିବେ ନାହିଁ। ଓ୍ବିସ୍କନ୍ସିନଠାରେ ପୋଲିସ ଅଫିସରଙ୍କ ଜାକବ ବ୍ଲେକ୍ଙ୍କୁ ଗୁଳିର ପ୍ରତିବାଦ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ)ରେ ଅନ୍ୟ ଆଥଲେଟ୍ମାନଙ୍କ ଭଳି ପଥ ଅନୁସରଣ କରିବେ ନାହିଁ ମର୍ସିଡିଜ୍ ଟିମ୍ର ଏହି ଡ୍ରାଇଭର। ବୁଧବାର ଖେଳାଯିବାକୁଥିବା ଏହାର ତିନୋଟି ପ୍ଲେ-ଅଫ୍ ଗେମ୍କୁ ଏନିବିଏ ସ୍ଥଗିତ ରଖିଛି। ଓର୍ଲାଣ୍ଡୋ ମ୍ୟାଜିକ୍ ବିପକ୍ଷ ଗେମ୍ ପାଇଁ ଲକର ରୁମ୍ ଛାଡ଼ିବାକୁ ମନା କରିଦେଇଥିଲେ ମିଲ୍ଓ୍ବାଉକି ବକ୍ସ। ବେସ୍ବଲ୍, ଫୁଟ୍ବଲ ଓ ଟେନିସ ଦଳ ଏବଂ ଖେଳାଳିମାନେ ଇଭେଣ୍ଟରୁ ବାହାରି ଆସିଥିଲେ। ପୋଲିସର ବର୍ବରତା ଏବଂ ବର୍ଣ୍ଣଗତ ବାଛ ବିଚାର ବିରୋଧରେ ବିହିତ ପଦକ୍ଷେପ ସେମାନେ ଦାବି କରିଥିଲେ। ୬ ଥର ବିଶ୍ୱ ଚାମ୍ପିୟନ ହାମିଲଟନ ହେଉଛନ୍ତି ଫର୍ମୁଲା ଓ୍ବାନରେ ଏକମାତ୍ର କୃଷ୍ଣକାୟ ଡ୍ରାଇଭର। ବର୍ଜନକୁ ସେ ସମର୍ଥନ କରନ୍ତି ମାତ୍ର ୟୁରୋପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।