Categories: ଜାତୀୟ

ତେଜସ୍‌ର ବଢ଼ିବ ଶକ୍ତି, ସାମିଲ ହେବ ହାମର କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଦେଶର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବା ଲାଗି ବାୟୁସେନାରେ ଫ୍ରାନ୍ସ ନିର୍ମିତ ହାମର କ୍ଷେପଣାସ୍ତ୍ରକୁ ସାମିଲ କରାଯିବା ଲାଗି ଯୋଜନା କରାଯାଇଛି। ଏନେଇ ଫ୍ରାନ୍ସ୍‌କୁ ଅର୍ଡର ମଧ୍ୟ ଦିଆଯାଇଛି। ଏହି କ୍ଷେପଣାସ୍ତ୍ରକୁ ସ୍ବଦେଶୀ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍‌ରେ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ୱାରା ତେଜସ୍‌ର ପ୍ରତିରକ୍ଷା କ୍ଷମତା ବଢ଼ିବ ବୋଲି କୁହାଯାଉଛି।

ଉତ୍ତର ସୀମାରେ ଚାଇନା ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ଭାରତ ତେଜସ ଯୁଦ୍ଧ ବିମାନର ସାମର୍ଥ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ତେଜସ ଯୁଦ୍ଧ ବିମାନ ୭୦ କିଲୋମିଟର ଦୂରରେ ଥିବା ଶତ୍ରୁ ବଙ୍କରଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ ହୋଇପାରିବ। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହା ଦ୍ୱାରା ସୀମାରେ ଶତ୍ରୁ ଶିବିରକୁ ନଷ୍ଟ କରିବାରେ ହାମର କ୍ଷେପଣାସ୍ତ୍ର ସକ୍ଷମ ହେବ। ହାମର କ୍ଷେପଣାସ୍ତ୍ର ରାଫାଲ ବିମାନରେ ମଧ୍ୟ ବ୍ୟବହୃତ ହେବ।

ସୂତ୍ରରୁ ପ୍ରକାଶ ଯେ ଏକ ବଡ଼ ଆଦେଶ ଅନୁଯାୟୀ ଭାରତୀୟ ବାୟୁସେନାର ଅସ୍ତ୍ରଶସ୍ତ୍ରରେ ପ୍ରାୟ ଶହେ କ୍ଷେପଣାସ୍ତ୍ର ଗଚ୍ଛିତ ରହିବ। ହାମର କ୍ଷେପଣାସ୍ତ୍ର ପୂର୍ବ ଲଦାଖ ପରି ଅଧିକ ଉଚ୍ଚତାରେ ସହଜରେ ଲକ୍ଷ୍ୟଭେଦ କରିବା ସହିତ ଦେଶର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି କରିବାକୁ ସକ୍ଷମ ହେବ। ପୂର୍ବାଞ୍ଚଳ ଲଦାଖ ସେକ୍ଟରରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ସହିତ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ସେନାବାହିନୀକୁ ଏହି ଜରୁରୀକାଳୀନ କ୍ଷମତା ଦିଆଯାଇଛି। ଭାରତ ପୂର୍ବରୁ ଦୁଇଟି ତେଜସ ଯୁଦ୍ଧ ବିମାନ ସ୍କ୍ବାଡ୍ରନକୁ ସକ୍ରିୟ କରିସାରିଛି। ଆସନ୍ତା ଏକରୁ ଦୁଇ ବର୍ଷ ମଧ୍ୟରେ ଆଉ ଚାରିଟି ସ୍କ୍ବାଡ୍ରନକୁ ଏଥିରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି।

Share