୧୭୦୦ରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ,ବିଜୁ ପକ୍କା ଗୃହ ଜନଜାତିଙ୍କୁ ହସ୍ତାନ୍ତର

ମାଲକାନଗିରି,୧୫ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳ ଗମନାଗମନର ସୁବିଧା ନ ଥିଲା ବେଳେ ସେହି ସବୁ ଅଞ୍ଚଳରେ ଜଳଭଣ୍ଡାରରେ ଲୋକମାନେ ଡଙ୍ଗାର ସାହାଯ୍ୟ ନିଅନ୍ତି। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ସେହି ସବୁ ଅଞ୍ଚଳକୁ ବିଭିନ୍ନ ସାମଗ୍ରୀ ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଗୃହ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ବ୍ୟବହୃତ ଉପକରଣ ପହଞ୍ଚାଇବାରେ ଅସୁବିଧା ସୃଷ୍ଟି ହେଉଥିଲା। ଫଳରେ ବଣ୍ଡା, ଡିଡାଇ ଜନଜାତି ଛୋଟଛୋଟ କୁଡ଼ିଆ ଘର କରି ଜୀବନ ବିତାଉଥିଲେ। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ପାହାଡ଼ ତଳେ ରହୁଥିବା ଗ୍ରାମଗୁଡ଼ିକରେ ଏହି ଯୋଜନାରେ ଘର ନିର୍ମାଣ କରାଯାଇଥିଲେ ମଧ୍ୟ ପାହାଡ଼ ଉପର ଗ୍ରାମଗୁଡ଼ିକରେ ଥିବା ଲୋକମାନଙ୍କ ସୁବିଧା ପାଇଁ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସାମଗ୍ରୀ ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରି ଘୋଡ଼ା, କାଉଡି ସାହାଯ୍ୟରେ ଗୃହ ନିର୍ମାଣ ସାମଗ୍ରୀ ଯୋଗାଇ ବର୍ତ୍ତମାନ ସୁଦ୍ଧା ମୋଟ ୪୫୫୭ ମଧ୍ୟରୁ ୧୭୦୦ଟି ଗୃହ ନିର୍ମାଣ କରି ପବିତ୍ର ଦୀପାବଳି ଅବସରରେ ଏହାକୁ ହିତାଧିକାରୀଙ୍କୁ ସମର୍ପଣ କରିଛନ୍ତି। ଅବଶିଷ୍ଟ ହିତାଧିକାରୀଙ୍କୁ ନୂତନ ବାସଗୃହ ଯୋଗାଇ ଦିଆଯିବ ବୋଲି ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ ପ୍ରକାଶ କରିଛନ୍ତି।