ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ପୋଲିସର ବର୍ବରତା। ମାନବିକତାର ସୀମା ଟପିଛି ପୋଲିସ। ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ। ଦୀପାବଳି ପାଇଁ ପ୍ରତ୍ୟେକ ବର୍ଷ ଏହି ଗାଁର କିଛି ଲୋକ ବାଣ ତିଆରି କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ କିଛି ଲୋକ ବାଣ ତିଆରି କରିଥିବା ଖବର ପାଇ ଶନିବାର ଖଲ୍ଲିକୋଟ ପୋଲିସ ଚଢ଼ାଉ କରିଥିଲା। ତେବେ ଗ୍ରାମର ବିଭିନ୍ନ ଘରୁ ବାଣ ଜବତ କରିଥିବା ବେଳେ ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ନାହାକଙ୍କ ଘରୁ ଯାଇଥିଲା ପୋଲିସ। ପରେ ପୋଲିସ ତାଙ୍କୁ ଏକ ରଡ୍ରେ ମାଡ଼ ମାରିଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି । ତେବେ ରାଜେନ୍ଦ୍ର ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ଘର ବିଛଣାରୁ ଉଠିପାରନ୍ତି ନାହିଁ । ସେ କେବଳ ନିଜେ ଚଳିବା ପାଇଁ କିଛି ତାଳ ଫୋଟକା ବାଣ କରିଥିବା ରାଜେନ୍ଦ୍ର କହିଛନ୍ତି। ଏନେଇ ରାଜେନ୍ଦ୍ର ଗଞ୍ଜାମ ଏସ୍ପି ଜଗନ ମୋହନ ମୀନାଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ପାଇଁ ଛତ୍ରପୁର ଏସ୍ଡିପିଓଙ୍କୁ ଦାୟିତ୍ୱ ଦିଆଯାଇଛି। ଚଢ଼ାଉରେ ସାମିଲ ଥିବା ଟିମ୍ ଲିଡରଙ୍କୁ ମୁଖ୍ୟାଳୟଙ୍କୁ ବଦଳି କରାଯାଇଛ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଏସ୍ପି ଜଗମୋହନ ମୀନା କହିଛନ୍ତି।