ହସ୍ତଶିଳ୍ପ ସାମଗ୍ରୀକୁ ଶିଳ୍ପ ବିଭାଗର ସ୍ବୀକୃତି ମିଳୁନି

ଖଣ୍ଡପଡ଼ା,୧୦ା୯(ଅଜୟ କୁମାର ମହାରଣା)ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ ପରିଚାଳନା ନିର୍ଦ୍ଦେଶିକା, ନିର୍ଦ୍ଦେଶକ କଣ୍ଟିଲୋ ଅଞ୍ଚଳକୁ ବିଭିନ୍ନ ସମୟରେ ପରିଦର୍ଶନରେ ଆସି କଂସା ପିତ୍ତଳ କାରିଗରମାନଙ୍କ ଶାଳ ଓ ସେମାନଙ୍କ କାର୍ଯ୍ୟଶୈଳୀ ବୁଲି ଦେଖିଛନ୍ତି। ତମ୍ବା ଓ ପିତ୍ତଳ ଚଦର(ସିଟ୍‌)ରେ ପ୍ରସ୍ତୁତ ସୌଖିନ ସାମଗ୍ରୀ ଦେଖି ପ୍ରଶଂସା କରିଛନ୍ତି। ତେବେ ଉପରୋକ୍ତ ସାମଗ୍ରୀ ରାଜ୍ୟ ଶିଳ୍ପ ବିଭାଗର ସ୍ବୀକୃତି ପାଇନାହିଁ। ଏପରିକି ବିଭିନ୍ନ ହସ୍ତଶିଳ୍ପ ତାଲିକାରେ କଣ୍ଟିଲୋର ଉପରୋକ୍ତ ସାମଗ୍ରୀ ତାଲିକାଭୁକ୍ତ ହୋଇ ନାହିଁ। ଏହାକୁ ନେଇ କଣ୍ଟିଲୋ ହସ୍ତଶିଳ୍ପୀ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, କଣ୍ଟିଲୋ ହସ୍ତଶିଳ୍ପୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସୌଖୀନ ସାମଗ୍ରୀର ରାଜ୍ୟ, ଅନ୍ୟ ରାଜ୍ୟ ସହିତ ଦେଶ ବିଦେଶରେ ଚାହିଦା ରହିଛି। ଉପରୋକ୍ତ ସାମଗ୍ରୀ ବିକାଶ ଦିଗରେ ପ୍ରୟାସ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ପ୍ରକୃତରେ କାର୍ଯ୍ୟକାରି ହେଉ ନ ଥିବାରୁ କାରିଗରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କଣ୍ଟିଲୋ ଏକଦା କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଥିଲା। ମାତ୍ର କଞ୍ଚାମାଲର ଅଭାବ ସାଙ୍ଗକୁ ଉପତ୍ାଦିତ ସାମଗ୍ରୀର ବଜାର ଚାହିଦା କ୍ରମଶଃ ହ୍ରାସ ପାଉଥିବା କାରଣରୁ କଂସା ପିତ୍ତଳ କାରିଗରମାନେ ନିଜର କୌଳିକ ବୃତ୍ତି ହରାଇ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ବୃତ୍ତିକୁ ଚାଲି ଯାଉଥିବାରୁ ଏ ଶିଳ୍ପରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମାତ୍ର କେତେଜଣ କାରିଗରଙ୍କ ଦ୍ୱାରା ତମ୍ବା ଓ ପିତ୍ତଳ ଚଦର(ସିଟ୍‌)ରେ ବିଭିନ୍ନ ସୌଖିନ ଓ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ ହେଉଛି।ଏହି କାରିଗରମାନେ ଅକ୍ଲାନ୍ତ ପରିଶ୍ରମ କରି ଯେପରି ଭାବେ ହସ୍ତଶିଳ୍ପ ସାମଗ୍ରୀ ଉପତ୍ାଦନ କରୁଛନ୍ତି ତାହା ସରକାରଙ୍କ ଦୃଷ୍ଟିକୁ ଆସିବାର ଆବଶ୍ୟକତା ରହିଛି ବୋଲି କାରିଗର ଅଖିଳ କୁମାର ମହାପାତ୍ର, ସରୋଜ କୁମାର ମହାରଣା, ମାୟାଧର ସାହୁ, ପ୍ରତାପ କୁମାର ମହାରଣା, ପବିତ୍ର କୁମାର ମହାରଣା, ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ କହିଛନ୍ତି। ଅପରପକ୍ଷେ କାରିଗରମାନଙ୍କ ଶାଳଘର, ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ପିଲାମାନଙ୍କ ଶିକ୍ଷାର ବିକାଶ ଉପରେ ଶିଳ୍ପ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି କାରିଗରମାନେ କହିଛନ୍ତି। କଣ୍ଟିଲୋ ନାରାୟଣୀ ଲୌହତ୍ତର ଧାତୁଶିଳ୍ପ ସମବାୟ ସମିତିର ସମ୍ପାଦକ ଶରତ ଚନ୍ଦ୍ର ମହାରଣା ଓ ନୟାଗଡ଼ ଜିଲା ଶିଳ୍ପୀ ମହାସଂଘର ସଭାପତି ତଥା ବାପୁଜୀ ବାସନ ଶିଳ୍ପ ସହଯୋଗ ସମିତି ଲିଃର ସଭାପତି ଦଣ୍ଡପାଣି ସାହୁ କହିଛନ୍ତି, କଣ୍ଟିଲୋକୁ ପରିଦର୍ଶନରେ ଆସୁଥିବା ଶିଳ୍ପ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ କାରିଗରମାନଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ଦେଖାଇବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ବାରମ୍ବାର ଦାବି ପରେ ଶିଳ୍ପ ବିଭାଗ ପକ୍ଷରୁ କଣ୍ଟିଲୋଠାରେ ଏକ ରମେଟେରିଆଲ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ହେଲେ ଉପରୋକ୍ତ ହସ୍ତଶିଳ୍ପ ସାମଗ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା ଆଜିଯାଏ ସ୍ବୀକୃତି ପାଇନାହିଁ।ଏ ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ସେଥିରେ କୌଣସି ସଫଳତା ମିଳିନାହିଁ ା ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ଦେବାଦେବୀ ମନ୍ଦିର ସାଜସଜା, ବିବାହ ବନ୍ଦାପନା ଓ ଘରକରଣା ସହିତ ଅନେକ ସୌଖୀନ ସାମଗ୍ରୀ ବିକ୍ରି ହେଉଛି। ଶିଳ୍ପ ବିଭାଗ ପକ୍ଷରୁ ଗୁରୁ-ଶିଷ୍ୟ ପରମ୍ପରା ତାଲିମ କାର୍ଯ୍ୟକ୍ରମରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି ା ଅନେକ ଯୁବକ କେବଳ ଷ୍ଟାଇପେଣ୍ଟ ଅର୍ଥ ପାଇଁ ସେମାନଙ୍କ ନାମ ତାଲିକା ଭୁକ୍ତ କରାଇ କାଗଜପତ୍ରରେ ତାଲିମ ପାଇଛନ୍ତି। ହେଲେ ଏହି ତାଲିମ ଦ୍ୱାରା ନୂତନ କାରିଗରର ସୃଷ୍ଟି ହେଉ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।