ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧୦ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ଏକ୍ସପୋ (ମେଳା)ର ଆୟୋଜନ ଭୁବନେଶ୍ୱରର ପ୍ରଦଶର୍ନୀ ପଡ଼ିଆଠାରେ କରାଯାଇଛି। ଶନିବାର ଉକ୍ତ ମେଳାର ସ୍ବତନ୍ତ୍ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାମଧେନୁ ଖଦି ଉଲ୍‌ ପାନିପଥର ସମ୍ପାଦକ ରାଜେନ୍ଦ୍ର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ମେଳା ୨୦୨୩ ନଭେମ୍ବର ୧୧ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ପ୍ରତିଦିନ ସକାଳ ୧୧ ଘଟିକାରୁ ସନ୍ଧ୍ୟା ୯ ଘଟିକା ପର୍ଯ୍ୟନ୍ତ ମେଳା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ ଅଗ୍ରଣୀ ସଂସ୍ଥା ବୟନିକା ମେଳାରେ ସାମିଲ ହୋଇଛି। ସେହିଭଳି ଉକ୍ତ ମେଳାରେ ପ୍ରାୟ ୭୦ଟି ଷ୍ଟଲ୍‌ ପଡିଥିବାବେଳେ ଓଡ଼ିଶା ସମେତ ପଞ୍ଜାବ, ହରିୟାଣା,ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ,ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ନାଟକ, ତେଲଙ୍ଗାନା, ଆସାମ, ପୁଡୁଚେରୀ, ତାମିଲନାଡୁ ଏବହ ଜମ୍ମୁ-କଶ୍ମୀର ଭଳି ରାଜ୍ୟର ବୁଣାକାର ସଂଘ, ନିଗମ ଓ ବ୍ୟବସାୟୀମାନଙ୍କର ଭଳିକି ଭଳି ପୋଷାକ ଉଭୟ ବିକ୍ରି ଓ ପ୍ରଦର୍ଶନୀ ପାଇଁ ଉପଲବ୍ଧ। ସେହିପରି ଆକର୍ଷଣୀୟ ପୋଷାକ ସାଙ୍ଗକୁ ଘରକରଣା ସାମଗ୍ରୀ ଆଦି ଉପରେ ୨୦%ର ସ୍ବତନ୍ତ୍ର ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ବ୍ୟବହାର କାରବାର ସମୟରେ ଗ୍ରହଣ କରାଯାଉଛି ।

Share