ହସ୍ତତନ୍ତ କ୍ଷେତ୍ର ହେଉଛି ଦେଶର ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଦେଶରେ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜୁଲାଇ ୨୦୧୫ ରେ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ।
ଏହି ଦିନଟି ସ୍ବତନ୍ତ୍ର ଭାବେ ହସ୍ତତନ୍ତ ବୁଣାକାରଙ୍କ କଳାକୀର୍ତ୍ତିକୁ ସ୍ବୀକୃତି ଦେବା ପାଇଁ ଉତ୍ସର୍ଗୀକୃତ। ଦେଶର ସମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବୁଣାକାରଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ସେମାନଙ୍କୁ ସଶକ୍ତ କରିବା ସହ ଏହି ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।
ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଜାତୀୟ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରି ସ୍ବଦେଶୀ ଅର୍ଥନୀତିକୁ ମଜବୁତ କରିବା। ଏଥିସହ ବୁଣାକାରଙ୍କ ଆୟ ବୃଦ୍ଧି ସ୍ବଦେଶୀ ହସ୍ତତନ୍ତ କଳା ବଞ୍ଚାଇ ରଖିବା ମୁଖ୍ୟ ଲକ୍ଷ୍ୟ। ବୁଣାକାରଙ୍କ ହାତର କାରୁକାର୍ଯ୍ୟ ଦେଶର ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିଥାଏ।
ଭାରତ ସରକାରଙ୍କ ହସ୍ତତନ୍ତ ବିଭାଗ ଏହି ମହାନ ଐତିହ୍ୟକୁ ସଂରକ୍ଷିତ କରି ରଖି ଅନ୍ତର୍ଜାତିକ ବଜାରରେ ଏହାର ଚାହିଦା ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହା ଫଳରେ ଓ ବୁଣାକାରମାନେ ଯେତିକି ମୂଲ୍ୟ ପାଉଛନ୍ତି ତାର ୧୦ ଗୁଣା ଅଧିକ ମୂଲ୍ୟ ପାଇପାରୁଛନ୍ତି। ହସ୍ତତନ୍ତ ଉତ୍ପାଦ ବିକ୍ରି କ୍ଷେତ୍ରରେ ମଧ୍ୟସ୍ଥିମାନଙ୍କୁ ହଟେଇ ଦେବା ପାଇଁ ଚେଷ୍ଟା କରାଯାଉଛି । ଏହା ଫଳରେ ବୁଣାକାରମାନେ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇପାରିବେ।
ବିଶ୍ୱର ପ୍ରାୟ ୨୦୦ ଦେଶ ମଧ୍ୟରୁ ମାତ୍ର ୮ରୁ ୧୦ଟି ଦେଶ ହସ୍ତତନ୍ତ କ୍ଷେତ୍ରରେ ସମୃଦ୍ଧ । ଏହି କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ ଭାରତ ପାଖରେ କ୍ଷମତା ରହିଛି । ତେବେ ଏଥିପାଇଁ ହସ୍ତତନ୍ତ କ୍ଷେତ୍ରରେ ଅନେକ କାମ କରିବାକୁ ରହିଛି । ଏହି କ୍ରମରେ ଭାରତର ବୁଣାକାରମାନେ ଭଲ ଉଦ୍ୟମ ଜାରି ରଖିଛନ୍ତି । ସରକାର ବୁଣାକାରମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ସେମାନଙ୍କୁ ଏହାର ଲାଭ ମଧ୍ୟ ମିଳୁଛି। ଯୁବପିଢ଼ିଙ୍କୁ ବୁଣାକାର କ୍ଷେତ୍ରକୁ ଆକର୍ଷିତ କରାଯିବା ଲାଗି ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି। ସେମାନେ ଯେପରି ଭଲ ପାରିଶ୍ରମିକ ପାଇବେ ତାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ଅଗଷ୍ଟ ୭ ତାରିଖ ୨୦୧୫ ରେ ଅନୁଷ୍ଠିତ ହୋଇଥିଲା। ଏହି ଦିନ, ହସ୍ତତନ୍ତ ବୁଣା ସମ୍ପ୍ରଦାୟକୁ ସମ୍ମାନିତ କରାଯାଇଥାଏ। ଦେଶର ସାମାଜିକ-ଅର୍ଥନୈତିକ ବିକାଶରେ ଏହି କ୍ଷେତ୍ରର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଦେଶର ହସ୍ତତନ୍ତ ଐତିହ୍ୟକୁ ସୁରକ୍ଷା ଦେବା ଏବଂ ଅଧିକ ସୁଯୋଗ ସହିତ ହସ୍ତତନ୍ତ ବୁଣାକାର ଏବଂ ଶ୍ରମିକମାନଙ୍କୁ ସଶକ୍ତ କରିବା ହିଁ ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ।
ବ୍ରିଟିଶ ସରକାରଙ୍କ ଦ୍ୱାରା ବଙ୍ଗଳା ବିଭାଜନକୁ ବିରୋଧ କରିବା ପାଇଁ ୧୯୦୫ ମସିହାରେ କଲିକତା ଟାଉନ ହଲରେ ଆରମ୍ଭ ହୋଇଥିବା ସ୍ବଦେଶୀ ଆନ୍ଦୋଳନକୁ ସ୍ମରଣ କରିବା ପାଇଁ ଅଗଷ୍ଟ ୭ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ମନୋନୀତ କରାଯାଇଥିଲା। ଘରୋଇ ଉତ୍ପାଦ ଏବଂ ଉତ୍ପାଦନ ପ୍ରକ୍ରିୟାକୁ ପୁନର୍ଜୀବିତ କରିବାକୁ ଏହି ଆନ୍ଦୋଳନ ଲକ୍ଷ୍ୟ ରଖା ଯାଇଥିଲା।
ମହିଳା ସଶକ୍ତିକରଣ ପାଇଁ ଏହି କ୍ଷେତ୍ର ହେଉଛି ଗୁରୁତ୍ୱପୂର୍ଣ୍ଣ କାରଣ ୭୦ ପ୍ରତିଶତରୁ ଅଧିକ ବୁଣାକାର ଏବଂ ସହଯୋଗୀ ଶ୍ରମିକ ମହିଳା।
ସମ୍ପ୍ରତି ବଜାରରେ ହସ୍ତଶିଳ୍ପର ଚାହିଦା ବେଶ ଅଧିକ ରହିଛି । ଉଭୟ ନୂଆ ଏବଂ ପୁରୁଣା ପିଢ଼ି ହାତ ତିଆରି ଜିନିଷ ପ୍ରତି ବେଶ ଆକର୍ଷିତ ହେଉଥିବା ଦେଖାଯାଉଛି ।