ରାୟଗଡ଼ା ଅଫିସ,୧୨।୫: ରାୟଗଡ଼ା ସହରରେ ଚାଲିଥିଲା ବେଆଇନ ବିଦେଶୀ ମଦ ତିଆରି କାରବାର। ପୁରୁଣା ବିଦେଶୀ ମଦ ବୋତଲରେ ହାତ ତିଆରି ମଦ ଭର୍ତ୍ତି କରି ବିକ୍ରି କରାଯାଉଥିଲା। ଖବର ପାଇ ଅବକାରୀ ବିଭାଗ ଟିମ୍ ବୁଧବାର ଚଢ଼ାଉ କରି ବେଆଇନ ମଦ କାରଖାନାରୁ ୨ ସମ୍ପୃକ୍ତଙ୍କୁ ଗିରଫ କରିବା ସହ ୧୫ ଲିଟର ମଦ ଏବଂ ମଦ ପ୍ୟାକିଂରେ ବ୍ୟବହୃତ ସାମଗ୍ରୀ ଜବତ କରିଛି।
ରାଜ୍ୟ ଅବକାରୀ ଆୟୋଗ ନିର୍ଦ୍ଦେଶରେ ଏବଂ ଜିଲା ଅବକାରୀ ଏସ୍ପି ନିନା ବେଉରିଆଙ୍କ ନେତୃତ୍ୱରେ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ନାରାୟଣ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନେହେରୁନଗର ପ୍ରଥମ ଗଳି ନିକଟ ବେଆଇନ ମଦ କାରଖାନାରେ ଚଢ଼ାଉ କରାଯାଇଥିଲା। ତେବେ ଅଭିଯୁକ୍ତମାନଙ୍କ ବିଷୟରେ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।