ବ୍ରହ୍ମପୁର ଅଫିସ,୨୭ା୨: ରଶି ଲଗାଇ ଏକ ଗଛରେ ଝୁଲୁଥିବା ଜଣେ ଯୁବକଙ୍କ ମୃତଦେହ ରେଲଓ୍ବେ ପୋଲିସ ସୋମବାର ଜବତ କରିଛି। ମୃତକଙ୍କ ପକେଟରୁ ମିଳିଥିବା ମୋବାଇଲ ଫୋନ ଜରିଆରେ ପୋଲିସ ଯୁବକଙ୍କ ପରିଚୟ ସ୍ପଷ୍ଟ କରିଛି। ସେ ହେଉଛନ୍ତି ଜଣେ ଗାଡ଼ି ମେକାନିକ। ତାଙ୍କ ନାମ ଗୋପୀ ଆଚାରୀ (୨୩)। ଘର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ଝିଲିମିଲିନଗର ବୋଲି ଜଣାପଡିଛି।
ମୃତଦେହ ସୋମବାର ସକାଳେ ଗୋଷାଣୀନୂଆଗଁା ମାଛବନ୍ଧ ନିକଟ ରେଳବାଇ କଲୋନିରେ ଥିବା ଏକ ଗଛରେ ଝୁଲୁଥିଲା। ଖବର ପାଇ ଗୋଷାଣୀ ନୂଆଗଁା ଥାନା ପୋଲିସ ଓ ରେଲଓ୍ବେ ପୋଲିସ ପହଞ୍ଚି ଥିଲେ। ହେଲେ ସୀମାକୁ କେନ୍ଦ୍ରକରି ମୃତଦେହ କେଉଁ ଥାନା ଜବତ କରିବ ସେ ନେଇ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା। ଦୀର୍ଘ ଅଢ଼େଇ ଘଣ୍ଟା ପରେ ରେଲଓ୍ବେ ପୋଲିସ ମୃତଦେହ ଜବତ କରିଥିଲା। ଏନେଇ ରେଲଓ୍ବେ ପୋଲିସ ଏକ ମାମଲା(ନଂ.୨୦/୨୩) ରୁଜୁ କରି ତଦନ୍ତ ଚଳାଇଛି।