କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତ ନିକଟରେ ଥିବା ନେଚର୍ କ୍ୟାମ୍ପ (ପ୍ରକୃତି ନିବାସ)ରେ ନିର୍ମାଣ ହୋଇଥିବା ଝୁଲା ପୋଲ ଓ ଟ୍ରି ହାଉସ ସୋମବାର ଲୋକାର୍ପିତ ହୋଇଛି।
ଉଦ୍ଘାଟନୀ ଉତ୍ସବରେ ଏମ୍ପି ଚନ୍ଦ୍ରାଣି ମୁର୍ମୁ, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲାପାଳ ବିଶାଲ ସିଂହ,ଏସ୍ପି ନୀତିନ କୁଶଲକର ଡାଗଡୁ, ଡିଏଫ୍ଓ ଏଚ୍ଡି ଧନରାଜ ପ୍ରମୁଖ ଯୋଗ ଦେଇଥିଲେ। ନେଚର କ୍ୟାମ୍ପରେ ରହିବାକୁ ଆସୁଥିବା ପର୍ଯ୍ୟଟକମାନେ ହିଁ କେବଳ ଝୁଲା ପୋଲ ଓ ଟ୍ରି ହାଉସ୍ ମଜା ନେଇପାରିବେ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭୂମିଠାରୁ ପ୍ରାୟ ୨୦ ଫୁଟ ଉଚ୍ଚରେ ନିର୍ମାଣ କରାଯାଇଛି ଏକ ଝୁଲନ୍ତା ପୋଲ ଓ ଟ୍ରି ହାଉସ୍ (ଗଛ ଉପରେ ଘର୍)। ଏଠାରେ ଥିବା ଗଛ ଗୁଡ଼ିକୁ ସଂଯୋଗ କରି ପ୍ରାୟ ୨୭୦ ଫୁଟ ଝୁଲନ୍ତା ପୋଲ ନିର୍ମାଣ କରାଯାଇଛି। ଏଥିରେ ପର୍ଯ୍ୟଟକ ବୁଲି ଚାରିପଟର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି ଅତିରିକ୍ତ ବନ ସଂରକ୍ଷକ ଅଶୋକ ଦାସ କହିଛନ୍ତି। ସେହିପରି ଏହି ଝୁଲନ୍ତା ପୋଲ ମଝିରେ ଗଛରେ ନିର୍ମାଣ ହୋଇଛି ବିଶ୍ରାମ ସ୍ଥଳୀ (ଟ୍ରି ହାଉସ୍)। ଯେଉଁଥିରେ ଛିଡ଼ା ହୋଇ ପର୍ଯ୍ୟଟକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
ପ୍ରକାଶ ଯେ, ଏହି ପ୍ରକୃତି ନିବାସରେ ରହିଛି ୫ଟି କଟେଜ୍। ଏଥିସହ ଗୋଟିଏ ଅଧିକ ପର୍ଯ୍ୟଟକ ଆସିଲେ ଏକ ସଙ୍ଗେ ରହିବା ପାଇଁ ଡରମିଟୋରି ଓ ଡ୍ରାଇଭରଙ୍କ ପାଇଁ ରହିଛି ବିଶ୍ରାମ ଗୃହ। ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଝୁଲାପୋଲ ଓ ଟ୍ରି ହାଉସ୍ ନିର୍ମାଣ ହୋଇଥିବା ସୂଚନା ମିଳିଛି। ତେବେ ବନ ବିଭାଗ ପକ୍ଷରୁ ମାଙ୍କଡ଼ ଓ ଅନ୍ୟ ଜୀବଜନ୍ତୁଙ୍କ ସୁରକ୍ଷିତ ରାସ୍ତାପାର ହେବା ପାଇଁ ଏନ୍ଏଚ୍ନଂ. ୪୯ର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ କ୍ୟାନ୍ପି ବ୍ରିଜ୍ (ଝୁଲନ୍ତା ପୋଲ) ନିର୍ମାଣ ହୋଇଥିଲେ ମଧ୍ୟ ସେଗୁଡ଼ିକ କାମରେ ଲାଗୁନାହିଁ। ଏପରିକି ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିବାକୁ ବସିଲାଣି। ତେଣୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଝୁଲନ୍ତା ପୋଲ କେତେ ସୁରକ୍ଷିତ ଓ ଆକର୍ଷଣୀୟ ହୋଇ ପାରିବ ତାହା ଆଗାମୀ ଦିନରେ ଜଣା ପଡ଼ିବ ବୋଲି ମତ ପ୍ରକାଶ ପାଉଛି।