Advertisement

ପୁଅ ଆଗରେ ମା’ଙ୍କୁ ହାଣି ହତ୍ୟା

ଦେବଗଡ଼,୧୬।୪: ପୈତୃକ ଜମି ଭାଗବଣ୍ଟାକୁ କେନ୍ଦ୍ରକରି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଦିଅର ଟାଙ୍ଗିଆ ଚୋଟରେ ଭାଉଜ ଗୋଲାପ ସାହୁ(୬୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଶୁକ୍ରବାର ପୋଲିସ ଅଭିଯୁକ୍ତ ଦିଅର ହାଡ଼ିବନ୍ଧୁ ସାହୁ (୫୫)ଙ୍କୁ ଗିରଫ କରିଛି।
ଜମି ଭାଗବଣ୍ଟାକୁ କେନ୍ଦ୍ର କରି ତୁଙ୍ଗାମାଳ ଗ୍ରାମର ଜଗବନ୍ଧୁ ସାହୁ ଓ ତାଙ୍କ ସାନଭାଇ ହାଡ଼ିବନ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ଗୁରୁବାର ରାତିରେ ପୁଣି ଗଣ୍ଡଗୋଳ ହୋଇଥିଲା। ଜଗବନ୍ଧୁ ଘରେ ନ ଥିବାବେଳେ ତାଙ୍କ ସ୍ତ୍ରୀ ଗୋଲାପଙ୍କ ସହିତ ହାଡିବନ୍ଧୁଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ହାଡ଼ିବନ୍ଧୁ ଏକ ଟାଙ୍ଗିଆରେ ଭାଉଜ ଗୋଲାପଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ପୁତୁରା (ଗୋଲାପଙ୍କ ପୁଅ) ସନ୍ତୋଷ (୩୫) ମା’ଙ୍କୁ ବଞ୍ଚାଇବା ପାଇଁ ଧାଇଁ ଆସିଥିଲେ। ହାଡ଼ିବନ୍ଧୁ ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ମା’ ପୁଅ ଉଭୟେ ଗୁରୁତର ଆହତ ହୋଇଥିଲେ। ସାହିପଡ଼ିଶା ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲାର ଛେଣ୍ଡିପଦା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଗୋଲାପଙ୍କର ମୃତ୍ୟୁ ଘଟିଥିଲା ଓ ସନ୍ତୋଷ ଚିକିତ୍ସାଧୀନ ଥିବା ଜଣାପଡିଛି। ଏନେଇ ସନ୍ତୋଷଙ୍କ ସ୍ତ୍ରୀ ବିନତି ସାହୁ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ହାଡ଼ିବନ୍ଧୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। ଗୋଲାପଙ୍କ ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share