Advertisement

ଉନ୍ନତିକରଣ କାର୍ଯ୍ୟରେ ବାଟମାରଣା ଅଭିଯୋଗ, ତାଳସର ପଞ୍ଚାୟତରେ ଅଭିଯୋଗ କଲେ ହଂସତୁଳୀ ଗ୍ରାମବାସୀ

ବେଗୁନିଆପଡା,୮।୪( ସୁଶାନ୍ତ କୁମାର ପଟ୍ଟନାୟକ): ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ। ସରକାରଙ୍କ ଟଙ୍କା ସଠିକ ଭାବେ ବିନିଯୋଗ ହୋଇ ନ ଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତାଳସର ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି। ଉକ୍ତ ପଞ୍ଚାୟତର ହଂସତୁଳୀ ଗ୍ରାମରେ ଆଲୋକୀକରଣ, ସଫେଇ କାର୍ଯ୍ୟ, ଆବାସ ଗୃହ ଆଦି ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀମାନେ ତାଳସର ପଞ୍ଚାୟତ କାର୍ଯ୍ୟାଳୟରେ ଆପତ୍ତି ଉଠାଇଛନ୍ତି। ମଙ୍ଗଳବାର ଉକ୍ତ ପଞ୍ଚାୟତରେ ଅନୁଷ୍ଠିତ ବୈଠକରେ ହଂସତୁଳୀ ଗ୍ରାମବାସୀ ଏନେଇ ସରପଞ୍ଚ ଓ ପିଇଓଙ୍କ ସହ ଆଲୋଚନା କରିଛନ୍ତି ।ବିଭିନ୍ନ କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ନେଇ ପ୍ରଶ୍ନ କରିବା ସହ ବୈଠକରେ ସରପଞ୍ଚଙ୍କୁ ଉତ୍ତର ମାଗିଛନ୍ତି ଗ୍ରାମବାସୀ। ଅପରପକ୍ଷରେ କୌଣସି ଦୁର୍ନୀତି ହୋଇନି, ସମସ୍ତ ଉନ୍ନତିକରଣ କାର୍ଯ୍ୟ ସଠିକ ଭାବେ ହୋଇଥିବା ପିଇଓ ଜବାବ ଦେଇଛନ୍ତି । ତେବେ ଏନେଇ ଆଗାମୀ ଦିନରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ହଂସତୁଳୀ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share