Categories: ଜାତୀୟ

ମାତୋଶ୍ରୀରେ ହନୁମାନ ଚାଳିସା ପାଠ,ନବନୀତ-ରବି ଗିରଫ…

ମୁମ୍ବାଇ, ୨୩।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ହନୁମାନ ଚାଳିସା ପାଠକୁ ନେଇ ବିବାଦ ଥମିବାର ନା ଧରୁନି। ଶିବସେନା କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ଥାନାକୁ ଉଠାଇ ନେଇଛି।

ଅନ୍ୟପକ୍ଷରେ ନବନୀତ୍‌ ରାଣା ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସହାୟତା ଲୋଡିଛନ୍ତି। ନବନୀତ୍‌ ଏବଂ ରବିଙ୍କୁ ରବିବାର ବାନ୍ଦ୍ରା କୋର୍ଟରେ ହାଜର କରାଯିବ।

ଏହାପୂର୍ବରୁ ଶନିବାର ଦିନ ପ୍ରବଳ ଉତ୍ତେଜନା ମଧ୍ୟରେ ରବି ରାଣା ଏବଂ ସାଂସଦ ନବନୀତ୍‌ ରାଣା ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚାଳିସା ପାଠ କରିବାର କାର୍ଯ୍ୟକ୍ରମ ପ୍ରତ୍ୟାହାର କରିଥିଲେ। ମହାରାଷ୍ଟ୍ରରେ ହନୁମାନ ଚାଳିସା ପାଠକୁ ନେଇ ଏକ ନାଟକୀୟ ସମାପ୍ତ ହୋଇଛି। ସକାଳ ନଅଟା ବେଳେ ରାଣା ଦମ୍ପତି ମାତୋଶ୍ରୀ ବାହାରେ ହନୁମାନ ଚଲିସା ପାଠ କରିବାକୁ କହିଥିଲେ।

ଏହି ଘୋଷଣା ସହିତ କ୍ରୋଧିତ ଶିବସେନା କାର୍ଯ୍ୟକର୍ତ୍ତାମାନେ ସକାଳେ ରାଣା ଦମ୍ପତିଙ୍କ ଅମରାବତୀ ଏବଂ ମୁମ୍ବାଇର ବାସଭବନରେ ପହଞ୍ଚି ହଙ୍ଗାମା କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତାଙ୍କ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା। ବ୍ୟାରିକେଡିଂ ଭାଙ୍ଗିଗଲା।

ଦୀର୍ଘ ସମୟ ଧରି ଶିବସେନା କର୍ମଚକର୍ତ୍ତାମାନେ ତାଙ୍କ ବାସଭବନ ବାହାରେ ଠିଆ ହୋଇଥିଲେ। ପରିଶେଷରେ ରାଣା ଦମ୍ପତିଙ୍କୁ ସେମାନଙ୍କ କାର୍ଯ୍ୟକ୍ରମ ପ୍ରତ୍ୟାହାର କରିବାକୁ ପଡିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଶିବସେନା କର୍ମକର୍ତ୍ତାମାନେ ସେମାନଙ୍କ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ଆଣିଥିଲେ।

ଅଭିଯୋଗରେ କୁହାଯାଇଛି ଯେ ମାତୋଶ୍ରୀ ସେମାନଙ୍କ ପାଇଁ ଏକ ମନ୍ଦିର ସଦୃଶ। ତେଣୁ ଉଭୟ ମାତୋଶ୍ରୀରେ ହନୁମାନ ଚାଳିସା ପାଠ କରିବାକୁ ଘୋଷଣା କରିବା ଦ୍ୱାରା ଭାବନାକୁ ଆଘାତ କରାଯାଇଛି। ଧାରା ୧୫୩ (ଏ) ଅନୁଯାୟୀ ନବନୀତ୍‌ ରାଣା ଏବଂ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଏହା ପରେ ପୋଲିସ ମୁମ୍ବାଇରେ ଥିବା ସେମାନଙ୍କ ବାସଭବନରେ ପହଞ୍ଚି ଉଭୟଙ୍କୁ ଖାର ପୋଲିସ ଷ୍ଟେଶନକୁ ନେଇଥିଲା। ଉଭୟଙ୍କୁ ପଚରାଉଚରା କରିବା ପରେ ମୁମ୍ବାଇ ପୋଲିସ ନିଶ୍ଚିତ କରିଛି ଯେ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସେମାନଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ନବନୀତ୍‌ ରାଣା କହିଛନ୍ତି ଯେ ସେ ଜଣେ ଏମ୍‌ପି ଏବଂ ତାଙ୍କ ସ୍ବାମୀ ଜଣେ ବିଧାୟକ। ଉଭୟ ଦେଶର ପ୍ରତିନିଧି। ଏଭଳି ପରିସ୍ଥିତିରେ ସେମାନଙ୍କ ସହ ମୁମ୍ବାଇ ପୋଲିସର ଆଚରଣ ନିନ୍ଦନୀୟ।

Share