Categories: ଜାତୀୟ

ରାଣା ଦମ୍ପତିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ,୪।୫: ହନୁମାନ ଚାଳିଶା ମାମଲାରେ ଗତ ୧୧ଦିନ ହେଲାଣି ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି। ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଶେଷରେ କୋର୍ଟରୁ ଜାମିନ ମିଳିଛି। ମୁମ୍ବାଇର ସେସନ କୋର୍ଟ ବୁଧବାର ଏହି ମାମଲାର ଶୁଣାଣି କରି ନବନୀତ ଓ ରବି ରାଣାଙ୍କୁ ସର୍ତ୍ତମୂଳକ ସହ ୫୦ ହଜାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ଉକ୍ତ ଦମ୍ପତିଙ୍କ ପାଇଁ ଅନେକ ସର୍ତ୍ତ ରଖିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଣା ଦମ୍ପତି ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ। ପ୍ରମାଣ ସହିତ କୌଣସି ଅଦଳବଦଳ କରିବେ ନାହିଁ। ଏଥିସହ ରାଣା ଦମ୍ପତି ଆଉ ଏଭଳିି ଅପରାଧ କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ପୋଲିସ ସେମାନଙ୍କୁ ୨୪ ଘଣ୍ଟା ପୂର୍ବରୁ ନୋଟିସ ଦେବ, ଏହାପରେ ସେମାନଙ୍କୁ ଉପସ୍ଥିତ ରହିବାକୁ ପୋଲିସ ଷ୍ଟେସନକୁ ଯିବାକୁ ପଡିବ। ଅନ୍ୟପଟେ ଯଦି ଏହି ସର୍ତ୍ତଗୁଡିକ ଗ୍ରହଣ କରାଯାଏ ନାହିଁ କିମ୍ବା ଯଦି ସେଗୁଡିକ ଉଲ୍ଲଂଘନ କରାଯାଏ, ତେବେ ଜାମିନ ନାମଞ୍ଜୁର ହେବ ବୋଲି କୋର୍ଟ କହିଛନ୍ତି। କୁହାଯାଉଛି, ରାଣା ଦମ୍ପତି ବୁଧବାର ସନ୍ଧ୍ୟାରେ ଜେଲରୁ ମୁକୁଳିପାରନ୍ତି।

Share