Categories: ଜାତୀୟ

ହନୁମାନ ଚାଲିଶାକୁ ନେଇ ତେଜୁଛି ବିବାଦ: ଅପରାହ୍ନ ୩ଟାରେ ଖବରଦାତା ସମ୍ମିଳନୀ କରିବେ ନବନୀତ ରାଣା

ମୁମ୍ବାଇ,୨୩।୪: ମୁମ୍ବାଇରେ ହନୁମାନ ଚାଳିଶା ଜପକୁ ନେଇ ବିବାଦ ତେଜିବାରେ ଲାଗିଛି। ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଥିଲେ। ଯାହାକୁ ନେଇ ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ସକାଳ ୯ଟାରେ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢ଼ିବେ ବୋଲି ନବନୀତ ଧମକ ଦେଇଥିବା ବେଳେ ଏହା ପୂର୍ବରୁ ବହୁ ସଂଖ୍ୟାରେ ଶିବସେନା କର୍ମକର୍ତ୍ତା ତାଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଖାର ଅଞ୍ଚଳରେ ଥିବା ନବନୀତଙ୍କ ବାସଭବନ ବାହାରେ ଶିବସେନା କର୍ମୀମାନେ ଘର ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବା ସହ ଆକ୍ରମଣ ଓ ହୋହାଲ୍ଲା କରିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ନବନୀତ ରାଣା ଆଉ ଘରୁ ବାହାରକୁ ବାହାରିପାରି ନ ଥିଲେ। ତେବେ ଘରେ ଛୋଟ ପିଲା ଥିବା ବେଳେ ଯଦି ସେମାନଙ୍କର କିଛି ଘଟେ ତେବେ ଏଥିପାଇଁ ଉଦ୍ଧବ ଠାକରେ ଦାୟୀ ରହିବେ ବୋଲି ନବନୀତ କହିଛନ୍ତି। ପୂର୍ବରୁ ଏନେଇ ମୁମ୍ବାଇ ପୋଲିସ ନବନୀତ ଓ ରବି ରାଣାଙ୍କୁ ନୋଟିସ୍‌ କରିଥିବା ବେଳେ କିନ୍ତୁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଘରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ଏହି ଉତ୍ତେଜନାକୁ ନେଇ ମୁମ୍ବାଇର ଖାର ସ୍ଥିତ ନିଜ ବାସଭବନରେ ଅପରାହ୍ନ ୩ଟାରେ ନବନୀତ ରାଣା ଏକ ଖବରଦାତା ସମ୍ମିଳନୀ କରିବେ ବୋଲି ଜଣାପଡ଼ିଛି।

Share