Categories: ଜାତୀୟ

କର୍ନାଟକରେ ‘ହନୁମାନ’ ନାଟକ

ବେଙ୍ଗାଲୁରୁ,୩ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଏବଂ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ନିଷିଦ୍ଧାଦେଶ ଜାରି ସମ୍ପର୍କରେ ଘୋଷଣା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋସ୍‌ପେଟ୍‌ରେ ମଙ୍ଗଳବାର ଭାଜପାର ଏକ ଦଳୀୟ ସଭାରେ କହିଛନ୍ତି, ମୁଁ ହନୁମାନଙ୍କ ଜନ୍ମସ୍ଥାନକୁ ଆସି ନିଜକୁ ଧନ୍ୟ ମନେକରୁଛି। କିନ୍ତୁ ହନୁମାନଙ୍କ ଭକ୍ତ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବା ନେଇ କଂଗ୍ରେସର ଘୋଷଣା ଶୁଣି ମର୍ମାହତ। କଂଗ୍ରେସ ପୂର୍ବରୁ ପ୍ରଭୁ ରାମଙ୍କୁ ତାଲା ପକାଇ ରଖିଥିଲା। କର୍ନାଟକରେ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବେଆଇନ ଘୋଷଣା କରିବ। ହନୁମାନଙ୍କ ଜନ୍ମସ୍ଥାନ କୁହାଯାଉଥିବା ଅଞ୍ଜନାଦ୍ରୀ ହିଲ୍ସ ଥିବା ଜିଲାରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। କଂଗ୍ରେସର ଏହି ଘୋଷଣାକୁ ନେଇ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ବଜରଙ୍ଗ ଦଳକୁ ମୌଳବାଦୀ ମୁସଲଲିମ୍‌ ସଙ୍ଗଠନ ପିଏଫ୍‌ଆଇ ସହ ତୁଳନା କରିବା ଦୁର୍ଭାଗ୍ୟଜନକ। ଅତୀତରେ ସିଦ୍ଦାରାମାୟା ସରକାର ପିଏଫ୍‌ଆଇ ବିରୋଧରେ ଥିବ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିଥିଲେ। ମୁସଲମାନ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ସେମାନେ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବାକୁ ବାହାରିଛନ୍ତି। କଂଗ୍ରେସ ଏକ ଜାତୀୟତାବାଦୀ ସଙ୍ଗଠନକୁ ବଦ୍‌ନାମ କରିଥିବା କହି ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି) ମଧ୍ୟ ସମାଲୋଚନା କରିଛି। ଭିଏଚ୍‌ପି ଯୁଗ୍ମ ମହାସଚିବ ସୁରେନ୍ଦ୍ର ଜୈନ ଏକ ଭିଡିଓ ମେସେଜ୍‌ରେ କହିଛନ୍ତି, ବଜରଙ୍ଗ ଦଳ କଂଗ୍ରେସକୁ ଗଣତାନ୍ତ୍ରିକ ଉପାୟରେ ଏହାର ଜବାବ ଦେବ। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି ଭଗବାନ ହନୁମାନଙ୍କୁ ଅପମାନିତ କରିଛି। ଏହାର ଜବାବରେ କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବଜରଙ୍ଗ ଦଳକୁ ଭଗବାନ ହନୁମାନ ସହ ତୁଳନା କରିବା ଲଜ୍ଜାଜନକ ବିଷୟ। ସେ ଆମ ଧର୍ମୀୟ ଭାବାବେଗକୁ କୁଠାରାଘାତ କରି ଅନେକ କୋଟି ହନୁମାନ ଭକ୍ତଙ୍କୁ ଅପମାନିତ କରିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ।

 

 

Share