Categories: ଖେଳ

ହନୁମାନ ହେଲେ ଅଫିସିଆଲ ମାସ୍କଟ୍‌

ବ୍ୟାଙ୍କକ୍‌, ୧୨ା୭ (ପି.ଟି.): ଭାରତୀୟ ଭଗବାନ ତଥା ଶକ୍ତି ଓ ସାହସର ପ୍ରତୀକ ପ୍ରଭୁ ହନୁମାନଙ୍କୁ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପର ମାସ୍କଟ ଘୋଷଣା କରାଯାଇଛି। ବୁଧବାର ଠାରୁ ଆରମ୍ଭ ହୋଉଥିବା ଏହି ଚାମ୍ପିୟନଶିପ୍‌ର ୫୦ ବର୍ଷ ପୂର୍ତ୍ତି ଅବସରରେ ଏସିଆନ୍‌ ଆଥଲେଟିକ୍ସ ଆସୋସିଏଶନ୍‌ ପକ୍ଷରୁ ହନୁମାନଙ୍କୁ ପ୍ରଭୁ ଶ୍ରୀରାମଙ୍କ ସେବାର ପ୍ରତୀକ ଭାବରେ ଦର୍ଶାଇ ମାସ୍କଟ ଘୋଷଣା କରାଯାଇଛି। ହନୁମାନଙ୍କ ଶକ୍ତି ଓ ସାମର୍ଥ୍ୟ କାରଣରୁ ତାଙ୍କୁ ଶ୍ରେଷ୍ଠ ଆଥଲେଟ ଓ ଦଳଗତ ଖେଳାଳି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ବୋଲି ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି।
ସୋସିଆଲ ମିଡିଆରେ ବିବାଦ
ଭାରତୀୟଙ୍କ ଆରାଧ୍ୟ ଦେବତା ହନୁମାନଙ୍କୁ ମାସ୍କଟ ଘୋଷଣା କରାଯିବାକୁ ନେଇ ଏହାକୁ ପ୍ରଶଂସା କରାଯାଇଥିବା ବେଳେ ଅନେକ ସୋସିଆଲ ମିଡିଆ ୟୁଜର ଏହାକୁ ନିନ୍ଦା କରିଛନ୍ତି। ଏକ କ୍ରୀଡା ଇଭେଣ୍ଟରେ କାହିଁକି ଏକ ନିର୍ଦ୍ଦିଷ୍ଟ ଧର୍ମର ଦେବତାଙ୍କୁ ମାସ୍କଟ କରାଯାଇଛି ବୋଲି ମଧ୍ୟ ଅନେକ ବ୍ୟବହାରକାରୀ ପ୍ରଶ୍ନ ଉଠାଇଛନ୍ତି।
ତେବେ କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାସ୍କଟ ଭାବରେ ସ୍ଥାନ ପାଇଥିବା ହନୁମାନ ଭାରତୀୟ ହନୁମାନ ନୁହନ୍ତି ବରଂ ଏହା ଥାଇ ହନୁମାନ। ଭାରତରେ ରାମାୟଣ ଭଳି ଥାଇଲାଣ୍ଡରେ ମଧ୍ୟ ରାମାକିଏନ୍‌ ପ୍ରସିଦ୍ଧ। ସେଠାରେ ମଧ୍ୟ ଭାରତୀୟ ସଂସ୍କୃତି ପରି ଶ୍ରୀରାମ ଓ ହନୁମାନଙ୍କୁ ପୂଜା କରାଯାଏ। ରାମାକିଏନ୍‌ ଅନୁସାରେ ଥାଇ ହନୁମାନ ମାର୍ଶାଲ ଆଟର୍‌ସରେ ପାରଙ୍ଗମ ଓ ସିପକ୍‌ ଟାକ୍ର ଖେଳନ୍ତି। ତେବେ କୌଣସି କ୍ରୀଡା ଇଭେଣ୍ଟରେ ଦେବାଦେବୀଙ୍କ ବ୍ୟବହାର ପ୍ରଥମ ଥର ପାଇଁ ହୋଇ ନାହିଁ। ପୂର୍ବରୁ ୨୦୦୯ରେ ଅନୁଷ୍ଠିତ ଏସିଆନ୍‌ ମାର୍ଶାଲ ଆଟର୍‌ସ ଗେମ୍ସରେ ଥାଇ ହନୁମାନ ନୋଇଙ୍କୁ ମାସ୍କଟ କରାଯାଇଥିଲା। ୨୦୧୭ରେ ୟୁଥ ଭାରୋତ୍ତୋଳନ ଓ ୨୦୧୮ ବଧିର ଗେମ୍ସରେ ମଧ୍ୟ ଥାଇ ହନୁମାନଙ୍କୁ ମାସ୍କଟ କରାଯାଇଥିଲା। ଏହା ବ୍ୟତିତ ମାଲେସିଆରେ ୧୯୯୭ରେ ଆୟୋଜିତ ସାଉଥ୍‌ଇଷ୍ଟ ଏସିଆନ୍‌ ଗେମ୍ସରେ ହନୁମାନ ମାସ୍କଟ ରହିଥିଲେ।
ଭାରତୀୟ ଆଥ୍‌ଲେଟିକ୍‌ ମହାସଂଘ ପକ୍ଷରୁ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନଶିପ୍‌ ପାଇଁ ୫୪ ଜଣିଆ ଦଳ ଘୋଷଣା କରାଯାଇଛି। ତାଜିନ୍ଦର ପାଲ ସିଂ ତୁର୍‌ଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ।

Share