ବିନା ଶୋଭାଯାତ୍ରାରେ ହେବ ମହରମ, ହନୁମାନ ଜୟନ୍ତୀ ପାଳନ

ସମ୍ବଲପୁର,୨୧ା୭(ଶୁଭାଶିଷ ପାଢୀ):ସମ୍ବଲପୁରରେ ବର୍ଷକ ଭିତରେ ବିନା ଶୋଭାଯାତ୍ରାରେ ମହରମ ଓ ହନୁମାନ ଜୟନ୍ତୀ ପାଳନ କରାଯିବ। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଆୟୋଜିତ ମହରମ ଶାନ୍ତି ଓ ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଏପ୍ରିଲରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା। ପ୍ରାୟ ଏକମାସ ପରେ ପରିସ୍ଥିତି ସୁଧାର ଆସିଥିଲା। ଏବେ ମଧ୍ୟ ଶତାଧିକ ଲୋକ ଜେଲରେ ଅଛନ୍ତି। ମହରମ୍‌ରେ ମିଳିତ ଶୋଭାଯାତ୍ରା ହେଲେ ଶତାଧିକ ଲୋକଙ୍କ ସମାଗମ ହେବ। କିଛି ଅଘଟଣ ମଧ୍ୟ ଘଟିପାରେ। ତେଣୁ ମହରମ କମିଟି ଓ ପ୍ରଶାସନ ମିଳିତ ଭାବେ ଆଲୋଚନା କରିବା ପରେ ଆସନ୍ତା ୨୯ତାରିଖରେ ହେବାକୁ ଥିବା ମହରମ ଶୋଭାଯାତ୍ରାକୁ ବନ୍ଦ କରାଯାଇଛି। ବୈଠକ ପରେ ଜିଲାପାଳ ଅନନ୍ୟା ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏସ୍‌ପି ମୁକେଶ ଭାମୁ କହିଛନ୍ତି, ଏବେ ସହରରେ ଶାନ୍ତି ପରିବେଶ ରହିଛି। ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ଘଟଣା ଆଜି ମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ। ମହରମ ଶୋଭାଯାତ୍ରା ସମୟରେ କାଳେ ଅଘଟଣ ଘଟିବ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ମହରମ ପର୍ବ ଯେଭଳି ଉତ୍ସାହର ସହିତ ପାଳନ କରିବେ ସେଥିପାଇଁ ଥାନାଗୁଡ଼ିକରେ ମହରମ କମିଟି ସଦସ୍ୟ ଆଲୋଚନା କରି ସ୍ଥିର କରିବେ। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ଜିଲାପାଳ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ଭାମୁ, ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ ମିଶ୍ର, ସଦର ଉପଜିଲାପାଳ ପ୍ରଭାସ ଦଣ୍ଡସେନା, ସଦର ଏସ୍‌ଡିପିଓ ପ୍ରଦୀପ ସାହୁ, ଡିଏସ୍‌ପି ଡିଆଇବି ଜେମ୍‌ସ ସମଦଙ୍କ ସମେତ ମହରମ କମିଟି ସଦସ୍ୟ, ବିଭିନ୍ନ ଥାନା ଅଧିକାରୀ, ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ସହରରେ ୮ଟି ସ୍ଥାନରେ ମହରମ ଶୋଭାଯାତ୍ରା ହୋଇଥାଏ। ସବୁ ପଡ଼ାରୁ ଶୋଭାଯାତ୍ରା ବାହାରି ମୁଖ୍ୟ ଛକ ଗୋଳବଜାରରେ ଏକାଠି ହୋଇଥାନ୍ତି।