ଦ୍ୱାଦଶ ଫେଲ୍‌ ପରେ ରୋଷେୟା ହେବାକୁ ଚାହୁଁଥିଲେ, ଆଜି ସୁପରଷ୍ଟାର୍‌ ଅଭିନେତା

ସାଉଥ୍‌ ସୁପରଷ୍ଟାର ଧନୁଷ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତା, ଲେଖକ, ନିର୍ମାତା, ନିର୍ଦ୍ଦେଶକ ଏବଂ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଧନୁଷ ଫିଲ୍ମ ଇଣ୍ଡଷ୍ଟ୍ରୀ ନାଁ କମାଇଛନ୍ତି। ଧନୁଷଙ୍କ ପ୍ରକୃତ ନାମ ହେଉଛି ଭେଙ୍କଟେଶ ପ୍ରଭୁ କସ୍ତୁରୀ ରାଜା। ସେ ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା କସ୍ତୁରୀ ରାଜଙ୍କ ପୁଅ। ସେ ନିଜର ପ୍ରାରମ୍ଭିକ ଜୀବନକୁ ଦାରିଦ୍ରରେ ବିତାଇଲେ। ଏକ ସାକ୍ଷାତକାରରେ ଧନୁଷ କହିଥିଲେ, ଫିଲ୍ମରେ ସଫଳତା ପାଇବା ପୂର୍ବରୁ ତାଙ୍କ ପିତା ମିଲରେ କାମ କରୁଥିଲେ। ଅନେକ ଥର ଘରେ ଗୋଟିଏ ଓଳି ଖାଇବାକୁ ମିଳୁ ନ ଥିଲା। ବସ୍‌ ଭଡ଼ା ସଞ୍ଚୟ କରିବା ପାଇଁ ପିତା ୧୧ କିଲୋମିଟର ଚାଲୁଥିଲେ। କାମ ସମୟରେ ପିତା ଫିଲ୍ମର କାହାଣୀ ଏବଂ ସ୍କ୍ରିପ୍ଟ ଲେଖୁଥିଲେ, ଯାହାକୁ ସେ ଲୋକମାନଙ୍କୁ ୫୦-୧୦୦ ଟଙ୍କାରେ ବିକ୍ରି କରୁଥିଲେ। ଧନୁଷ ଜଣେ ରୋଷେୟା ହେବାକୁ ଚାହୁଁଥିଲେ। କିନ୍ତୁ ଦ୍ୱାଦଶରେ ଫେଲ୍‌ ହେବା ପରେ ପରିବାର ସଦସ୍ୟ ତାଙ୍କ ଉପରେ ଚାପ ପକାଇବାରୁ ସେ ଅଭିନେତା ହୋଇଥିଲେ।
ସେ ୨୦୦୨ରେ ତାମିଲ ଫିଲ୍ମ ‘ଥୁଲୁଭାଡୋ ଇଲାମାଇ’ ଜରିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ୨୦୧୩ରେ ଫିଲ୍ମ ରାଞ୍ଝନା ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ୪ଟି ଜାତୀୟ ପୁରସ୍କାର (ଦୁଇଟି ଅଭିନେତା ଏବଂ ଦୁଇଟି ନିର୍ମାତା ଭାବରେ) ଏବଂ ଗୋଟିଏ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି।
ପ୍ରାୟ ୧୧ ବର୍ଷ ପୂର୍ବେ ସେ ଗାଇଥିବା ଗୀତ ‘ହ୍ବାଇ ଦିସ୍‌ କୋଲାଭେରୀ ଡି’ ଜରିଆରେ ଧନୁଷ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ। ଗୀତଟି ସୁପରହିଟ ହୋଇଥିଲା। ସେ ଏହି ଗୀତଟିକୁ କେବଳ ଗାଇ ନ ଥିଲେ ଲେଖିଥିଲେ ମଧ୍ୟ। ନିକଟରେ ଧନୁଷ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କଠାରୁ ଛାଡପତ୍ର ନେଇଥିଲେ।

Share