୨୧ ବର୍ଷରେ ବିବାହ ୨୫ ବର୍ଷରେ ତଲାକ

ମୁମ୍ବାଇ: ରାଜ ପରିବାରରୁ ଆସିଥିବା ବଲିଉଡ ନାୟିକା ଅଦିତି ରାଓ ହାଇଦରୀ ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ଅଦିତିଙ୍କର ଏବେ କୋଟି କୋଟି ପ୍ରଶଂସକ । ତାଙ୍କ କ୍ୟାରିୟରରେ ସେ କିଛି ହିଟ ମୁଭି ଭେଟିଦେଇ ଦର୍ଶକଙ୍କ ନିକଟତର ହୋଇଛନ୍ତି । ୨୮ ଅକ୍ଟୋବର ୧୯୮୬ରେ ହାଇଦ୍ରାବାଦର ରୟାଲ ଫ୍ୟାମିଲିରେ ଜନ୍ମ ନେଇଥିଲେ ଅଦିତି । ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ ।
ରିପୋର୍ଟ ଅନୁଯାୟୀ, ଅଦିତି ମାତ୍ର ୨୧ ବର୍ଷ ବୟସରେ ବିବାହ କରିଥିବା ବେଳେ ୪ ବର୍ଷ ପରେ ଅର୍ଥାତ୍ ୨୫ ବର୍ଷ ବୟସରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ । ପ୍ରଥମେ ପ୍ରଥମେ ଅଦିତି ଏହି କଥାକୁ ଲୁଚାଉଥିବା ବେଳେ ପରେ ସେ ଏ ସମ୍ପର୍କରେ ଖୋଲାଖୋଲି କଥା ହୋଇଥିଲେ । ୨୦୦୯ରେ ଅଦିତି ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ । ଅଭିନେତ୍ରୀ ଯେବେ ୧୭ ବର୍ଷର ଥିଲେ ସେତେବେଳେ ସେ ସତ୍ୟଦୀପଙ୍କୁ ଭେଟିଥିଲେ ସେବେଠାରୁ ସତ୍ୟଦୀପଙ୍କ ପ୍ରେମରେ ପଡିଯାଇଥିଲେ ଅଦିତି । ତେଣୁ ୨୧ବର୍ଷ ହେବା ପରେ ଅଦିତି ସତ୍ୟଦୀପଙ୍କୁ ବିବାହ କରିଥିଲେ । ମାତ୍ର ୪ ବର୍ଷ ପରେ ପତି ସତ୍ୟଦୀପଙ୍କଠାରୁ ଅଲଗା ହୋଇଯାଇଥିଲେ ଅଦିତି । ପ୍ରଥମେ ସେ ଏକଥାକୁ ଲୁଚାଉଥିଲେ ବି ୨୦୧୩ରେ ଏକ ସାକ୍ଷାତ୍ କାରରେ ସେ ଏହା ସ୍ୱୀକାର କରିଥିଲେ । ତେବେ ସତ୍ୟଦୀପଙ୍କଠାରୁ ଅଲଗା ହେବା ପରେ ଅଦିତିଙ୍କ ନାଁକୁ କୋ-ଷ୍ଟାର ଫରହାନ ଅଖତରଙ୍କ ସହ ଯୋଡି ଦିଆଯାଇଥିଲା । ହେଲେ ଉଭୟ ଏହାକୁ ଗୁଜବ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ଅଦିତି ଆକବର ହାଇଦରୀଙ୍କ ଅଣନାତୁଣୀ । ଯେକି ୧୮୬୯ରୁ ୧୯୪୧ ପର୍ଯ୍ୟନ୍ତ ହାଇଦ୍ରାବାଦର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ । କେବଳ ସେତିକି ନୁହେଁ ଅତିଦି ଅମିର ଖାଁଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କର ସମ୍ପର୍କୀୟ । ସେ ୨୦୦୬ରେ ପ୍ରଥମେ ମାଲାୟାଲମ ଚଳଚ୍ଚିତ୍ର ‘ପ୍ରଜାପତି’ରୁ କ୍ୟାରିୟର ଆରମ୍ଭ କରି ପରେ ବଲିଉଡରେ ପାଦ ରଖିଥିଲେ ।

Share