୨୬ ଜୁନରେ ପାଳନ କରାଯାଇଥାଏ ଶ୍ରେୟା ଘୋଷାଲ ଡେ’

ମୁମ୍ବାଇ: ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗିୟ ଲଳନା ଶ୍ରେୟା ଘୋଷାଲ ଆଜି ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗର ବେହରାମପୁରରେ ଜନ୍ମ ନେଇଥିଲେ ଶ୍ରେୟା । ପିଲାଟିବେଳୁ ସଙ୍ଗିତ ପ୍ରତି ରୁଚି ରଖିଥିବା ଶ୍ରେୟା ମାତ୍ର ୪ ବର୍ଷ ବୟସରୁ ସଙ୍ଗିତ ଶିକ୍ଷା ଆରମ୍ଭ କରି ଦେଇଥିଲେ । ଏହାପରେ ତାଙ୍କୁ ବଡ ସୁଯୋଗ ଦେଇଥିଲା ସାରେଗାମାପା ମଞ୍ଚ । ପ୍ରଥମେ ସେ ଯେତେବେଳେ ସେଠାରେ ଜଣେ କଣ୍ଟେଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ ସେତେବେଳେ ସେହି ଶୋ’କୁ ହୋଷ୍ଟ କରୁଥିଲେ ସିଙ୍ଗର ସୋନୁ ନିଗମ । ଏଥିରେ ସେ ସଫଳ ନ ହୋଇଥିଲେ ବି ତାଙ୍କ କଣ୍ଠର ଯାଦୁଗରି ସମସ୍ତଙ୍କ ହୃଦୟରେ ବସା ବାନ୍ଧିଥିଲା । ଯେତେବେଳେ ଶ୍ରେୟା ଦ୍ୱିତୀୟ ଥର ସାରେଗାମାପା ମଞ୍ଚକୁ ଆସିଥିଲେ ସେତେବେଳେ ତାଙ୍କ ଉପରେ ନଜର ପଡିଥିଲା ବଲିଉଡର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କର । ସେହିଠାରୁ ହିଁ ସେ ଶ୍ରେୟାଙ୍କୁ ତାଙ୍କ ଫିଲ୍ମ ‘ଦେବଦାସ’ରେ ଗାଇବା ପାଇଁ ସୁଯୋଗ ଦେଇଥିଲେ ।
ଶ୍ରେୟା ଘୋଷାଲ ଏମିତି ପ୍ରଥମ ଗାୟିକା ଯାହାଙ୍କୁ ମାତ୍ର ୨୬ ବର୍ଷ ବୟସରେ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ଫିଲ୍ମ ଫେୟାର ଆୱାର୍ଡ ବିଜେତା ଶ୍ରେୟାଙ୍କ ନାମରେ ଆଜିବି ଆମେରିକାର ଓହିୟୋ ରାଜ୍ୟରେ ୨୬ ଜୁନକୁ ଶ୍ରେୟା ଘୋଷାଲ ଡେ’ ଭାବେ ପାଳନ କରାଯାଇଥାଏ । ଶ୍ରେୟା ଘୋଷାଲ ହିନ୍ଦୀ ବ୍ୟତୀତ ବେଙ୍ଗଲି, ତାମିଲ, ତେଲଗୁ, କନ୍ନଡ, ମରାଠି ଓ ଭୋଜପୁରୀ ଭାଷାରେ ଗୀତ ଗାଇ ସାରିଛନ୍ତି । ନିଜ ପର୍ସନାଲ ଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ଶ୍ରେୟା ଶେଷରେ ତାଙ୍କ ପିଲାଦିନର ବନ୍ଧୁ ଶିଳାଦିତ୍ୟ ବନ୍ଦୋପାଧ୍ୟାୟଙ୍କୁ ୨୦୧୫ରେ ଲୁଚିଛପି ବିବାହ କରିଥିଲେ ବୋଲି କୁହାଯାଏ । ଏବେ ସେ ଗୋଟିଏ ପୁତ୍ର ସନ୍ତାନର ଜନନୀ ।

Share