Categories: ଖେଳ

ହାପି ଇଲେଭେନ ଚାମ୍ପିୟନ

ଭୁବନେଶ୍ୱର, ୧ା୧ (ସରୋଜ ଜେନା): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଗଡ଼ ଗୋପୀନାଥ ପ୍ରସାଦ(ଜିଜିପି) ସ୍କୁଲ ପଡ଼ିଆରେ ଚାଲିଥିବା ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି କଟକର ହାପି ଇଲେଭେନ୍‌। ରବିବାର ଖେଳା ଯାଇଥିବା ଫାଇନାଲରେ ଦଳ ସନ୍‌ ଇଲେଭେନ୍‌କୁ ୫ ଉଇକେଟରେ ପରାସ୍ତ କରିଛି। ହାପି ଇଲେଭେନ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲୁଲୁ ସ୍ବାଇଁଙ୍କ ୨୪ ବଲ୍‌ ୪୬ ରନ୍‌ ବଳରେ ସନ୍‌ ଇଲେଭେନ୍‌ ୧୫ ଓଭରରେ ୭ ଉଇକେଟରେ ୧୭୨ ରନ୍‌ କରିଥିଲା। ଅଙ୍କେଶ ତିଓ୍ବାରୀ ୨୬ ରନ୍‌ ବ୍ୟୟରେ ୩ ଉଇକେଟ ନେଇଥିଲେ। ଜବାବରେ ପାପାଲି ମିଶ୍ରଙ୍କ ୨୪ ବଲ୍‌ ୪୮ ରନ୍‌ର ଇନିଂସ ସହାୟତାରେ ୧୪.୩ ଓଭରରେ ୫ ଉଇକେଟରେ ୧୭୫ ରନ୍‌ ସଂଗ୍ରହ କରିଥିଲା ହାପି ଇଲେଭେନ୍‌। ପାପାଲି ମିଶ୍ରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିବା ବେଳେ ରଶ୍ମିରଞ୍ଜନ ଓଝା ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଟୁର୍ନାମେଣ୍ଟର ଶୃଙ୍ଖଳିତ ଦଳ ଭାବରେ ଆମି ଇଲେଭେନକୁ ପୁରସ୍କୃତ କରାଯାଇଥିଲା। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଓ୍ବାର୍ଡ ନମ୍ବର ୧୯ କର୍ପୋରେଟର ସ୍ମୃତିଶିଖା ବରିସାଲ, ସଞ୍ଜୟ ପାଇକରାୟ, ଭୁବନେଶ୍ୱର ଟ୍ରକ୍‌ ଆସୋସିଏଶନ ସଭାପତି ପ୍ରଦୀପ ବରିସାଲ ଓ ଗୀତାଞ୍ଜଳି ଆଓ୍ବାର୍ଡସ ପରିଚାଳନା ନିର୍ଦ୍ଦେଶକ ବୁଦ୍ଧ ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Share