ସହାସ୍ୟ ଜୀବନ

ଇଂ. ସଚ୍ଚିଦାନନ୍ଦ ନନ୍ଦ

 

ବିରସ ବଦନ ରହିବା ବା ଦେଖିବାକୁ କେହି ପ୍ରାୟ ଭଲ ପାଆନ୍ତି ନାହିଁ। ମାତୃଗର୍ଭରୁ ଯିଏ ଯେତିକି ସୁନ୍ଦର ହୋଇ ଜନ୍ମ ହୋଇଛି ତା’ ସୌନ୍ଦର୍ଯ୍ୟ କିଛି ମାତ୍ରାରେ ବଢ଼ି ଯାଏ ସହାସ୍ୟ ଜୀବନଯାପନ କଲେ। ନିଜ ଦର୍ପଣ ନିଜ ଚେହେରାକୁ ପ୍ରଶଂସାପତ୍ର ଦେବା ସଙ୍ଗେ ସଙ୍ଗେ ସାଥୀ, ବନ୍ଧୁବାନ୍ଧବମାନେ ମଧ୍ୟ ବିନା କାରଣରେ ଖୁସି ହୁଅନ୍ତି ଗୋଟିଏ ସରସ ବଦନ ବ୍ୟକ୍ତିଙ୍କୁ ଦେଖିଲେ। ପ୍ରକୃତରେ ମଣିଷ ଖୁସି ରହିବା ହିଁ ତା ଜନ୍ମର ଧର୍ମ। ଛୋଟ ପିଲା ହୋଇ ସମସ୍ତେ ଜନ୍ମ ଲାଭ କରିଥାନ୍ତି ଏବଂ ସେହିଦିନଠାରୁ ସେ ଖୁସିରେ ହିଁ ତା’ର ଦିନ ଅତିବାହିତ କରେ। ଯଦି ସେ କାନ୍ଦେ, ଯାହା ତା’ପାଇଁ ସ୍ବାଭାବିକ ନୁହେଁ, ସମସ୍ତେ ବ୍ୟସ୍ତ ହୋଇ ଖୋଜି ବସନ୍ତି ତାହାର କାରଣ। ପିଲାକୁ ଭୋକ ହେଲାଣି ବା ପରିସ୍ରା କରି ଦେଇଥିବ ବା ଶଯ୍ୟାରେ କିଛି ବାହ୍ୟ ପଦାର୍ଥ ତା’ ଦେହକୁ କଷ୍ଟ ଦେଉଥିବ ଇତ୍ୟାଦି ଇତ୍ୟାଦି। କହିବାର ତାତ୍ପର୍ଯ୍ୟ ହେଉଛି କିଛି ଗୋଟିଏ ଅସ୍ବାଭାବିକ ପରିସ୍ଥିତି ନ ପଡ଼ିଲେ ପିଲା ତା’ ସ୍ବଭାବବଶତଃ ଖୁସିରେ ଦୋଳାରେ ଖେଳିବା କଥା। କିଛି ଗୋଟିଏ ଅଘଟଣ ନ ଘଟିଲେ କାହିଁକି ବା କାନ୍ଦନ୍ତା? ସେଇ ପିଲା ବଡ଼ ହୋଇ ଆମ୍ଭମାନଙ୍କ ପରି ହୋଇଛି। ଆମର ମଧ୍ୟ ସ୍ବଭାବ ହେଉଛି ଖୁସିରେ ରହିବା। ଦୁଃଖିତ ହେବା ପଛରେ କିଛି ଗୋଟିଏ ଅସ୍ବାଭାବିକ ଘଟଣା ଥିବ ନିଶ୍ଚିତ।
ସହାସ୍ୟ ବଦନ ଓ ସରସ ଜୀବନ ଏକ ମାନସିକତା। ଜଣେ ଇଚ୍ଛା କଲେ, ମନ କଲେ, ଯେ କୌଣସି ପରିସ୍ଥିତିରେ ବି ଖୁସି ରହିପାରିବ। ପ୍ରତିକୂଳ ପରିସ୍ଥିତିରେ ବି ତାହାର ସ୍ବଭାବ ଛାଡ଼ିବ ନାହିଁ। ଦୁଃଖ କଲେ କ’ଣ ହୋଇଯିବ, କିଏ ଆଣି ଦେଇଯିବ, ଲୋକେ ସହାନୁଭୂତିମୂଳକ କଥା କହିବେ ସିନା ଦୁଃଖୀର ଦୁଃଖ କେତେ ପରିମାଣରେ ଲାଘବ ହେବ? ହେବ କେବଳ ନିଜ ମାନସିକତା ଦ୍ୱାରା। ଖୁସି ରହିବାର ମାନସିକତାକୁ ସମର୍ଥନ ଦିଏ ଆଧ୍ୟାତ୍ମିକତା। ମଣିଷ ଭଗବାନଙ୍କୁ ପାଇବାକୁ ସାଧନା କରି ନ ପାରେ, କିନ୍ତୁ ସୁଖଶାନ୍ତି ପାଇବାକୁ ନ ଚାହିଁବା କେଉଁଠାରେ କେବେ ହେଲେ ଦେଖାଯାଇନାହିଁ। ସେହି ସୁଖ ଶାନ୍ତି ପାଇବାର କେତେକ ସୂତ୍ର ଅଛି। ତାହାକୁ ପାଇବା ଓ ପାଳିବାକୁ ପଡ଼ିବ। ଟିକିଏ ହସ ସମସ୍ତଙ୍କ ପାଇଁ ମୂଲ୍ୟବାନ। ଭାରତୀୟମାନଙ୍କ ରକ୍ତରେ ଆଧ୍ୟାତ୍ମିକତା ପ୍ରବାହିତ, ଭାରତୀୟମାନେ ପାନ କରୁଥିବା ଜଳରେ ଆଧ୍ୟାତ୍ମିକତା, ତାଙ୍କ ଶ୍ୱାସ ପ୍ରଶ୍ୱାସର ବାୟୁରେ ଆଧ୍ୟାତ୍ମିକତା, ତାଙ୍କ ଭାତ ପଖାଳରେ ଆଧ୍ୟାତ୍ମିକତା, ସେମାନଙ୍କ ମାତାପିତା ଠାକୁର ଠାକୁରାଣୀ, ସହୋଦର ସହୋଦରା ଠାକୁରଙ୍କ ପ୍ରତିରୂପ। ସେମାନଙ୍କ ବାସଗୃହ ଭଗବାନଙ୍କ ନିଳୟ। ସେଥିପାଇଁ ହସିବା ତାଙ୍କ ପାଇଁ ସହଜାତ ଓ ସହଜ। ଆଧ୍ୟାତ୍ମିକତାର ଯଦି କିଛି ମୂଲ୍ୟ ଥାଏ ହସର ମୂଲ୍ୟ ମଧ୍ୟ ସେତିକି। କାରଣ ଆଧ୍ୟାତ୍ମିକ ସାଧନା ସେତିକି ଗଭୀରତର ହେଲେ ଯାଇ ଜଣେ ମଧୁର ହସ ହସିପାରିବ। କୃତ୍ରିମ ହସ, ଅଭିନୟ ହସ, ଅଭିସନ୍ଧିମୂଳକ ହସ କ’ଣ ଆଧ୍ୟାତ୍ମିକ ହସ ସହ ତୁଳନା ହୋଇପାରିବ? କେବେହେଲେ ନୁହେଁ।
ଆଉ ଏକ ମାର୍ଗ ଅଛି ଅତି ସହଜ, ସାଧନା ସାପେକ୍ଷ ନୁହେଁ ତାହାପାଇଁ କିଛି ତ୍ୟାଗ କରିବାକୁ ପଡ଼ିବ ନାହିଁ, କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, କୌଣସି ଡିଗ୍ରୀ ହାସଲ କରିବାକୁ ପଡ଼ିବ ନାହିଁ, ଉଚ୍ଚ କୂଳରେ ଜନ୍ମ ହେବାକୁ ପଡ଼ିବ ନାହିଁ, ଦୀକ୍ଷା ନେବାକୁ ପଡ଼ିବ ନାହିଁ, ବ୍ରତ ପିନ୍ଧିବାକୁ ପଡ଼ିବ ନାହିଁ, ତାହା ହେଉଛି ନିରୋଳା ଭଲ ପାଇବା। ନିଃସ୍ବାର୍ଥ, ନୀରଭିମାନ, ନରହଂକାର ପ୍ରେମଭାବ। କୌଣସି ପ୍ରତ୍ୟାଶା ନ ରଖି କେବଳ ଭଲ ପାଇବା, ଜୀବନ ପରିସର ଭିତରକୁ ଯିଏ ଆସିଲା ତାକୁ ଭଲ ପାଇବା, ଆମକୁ ହତାଦର କରୁଥିବା ଲୋକକୁ ମଧ୍ୟ ଭଲ ପାଇବା। ଏହି ମାର୍ଗରେ ଚାଲୁ ଚାଲୁ କୌଣସିଠାରେ ଠୋକର ଖାଇବାକୁ ପଡ଼ିପାରେ। କିନ୍ତୁ ନିଜ ପ୍ରେମଭାବ ଅତୁଟ ରଖିବାକୁ ହେବ। ଆମେ ତ କାହା ଦେହକୁ ପ୍ରେମ କରୁନେ, କାହାଧନକୁ ପ୍ରେମ କରୁନେ, ଜଣଙ୍କର ଦେହ, ମନ ବୁଦ୍ଧି, ବିଚକ୍ଷଣତା, ପାରଦର୍ଶିତା ପ୍ରଭୃତି ଯାହାଦ୍ୱାରା ଚଳତଶକ୍ତି ପ୍ରାପ୍ତ ହୋଇଛି ସେହି ଅଦୃଶ୍ୟ ଆତ୍ମାକୁ ପ୍ରେମ କରୁଛୁ। ସେହି ଆତ୍ମା ହିଁ ପ୍ରେମ୍ୟ। ଯେଉଁ ପ୍ରତିକୂଳ ପରିସ୍ଥିତିମାନ ଆସିଛି ତାହା ମଧ୍ୟ ସେହି ଈଶ୍ୱରଙ୍କ ଉପହାର ଆମ ପ୍ରତି। ପ୍ରତିକୂଳ ପରିସ୍ଥିତିରେ ଭଲ ଭଲ ଜ୍ଞାନ ଉଦୟ ହୁଏ। ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ବୁଦ୍ଧି ପ୍ରତିକୂଳ ପରିସ୍ଥିତିରୁ ମୁକୁଳିବା ପାଇଁ ପ୍ରାର୍ଥନାକୁ ବଳବତ୍ତର କରିବାର ଇଚ୍ଛା ଦୃଢ଼ରୁ ଦୃଢ଼ତର ହୋଇଥାଏ। ଭଗବାନଙ୍କ ପ୍ରିୟ ହେବା ନ ହେବା ସବୁ କିଛି ମଣିଷ ହାତରେ ହିଁ ଅଛି। ତେଣୁ ଗୀତା କହେ ‘ସନ୍ତୁଷ୍ଟ ସତତଂ ଯୋଗୀ’ ସର୍ବଦା ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିବ, ତେବେ ଯାଇ ଜଣେ ସର୍ବଦା ହସିପାରିବ।
ଅଲିଶା ବଜାର, କଟକ,
ମୋ :୯୪୩୭୫୧୧୨୩୦


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri