‘ବିନ୍ଦି ଲଗାଇବାରୁ ହଇରାଣ କଲେ’

ଢାକା,୪।୪: ବାଂଲାଦେଶର ଏକ ବେସରକାରୀ କଲେଜର ଜଣେ ମହିଳା ପ୍ରଫେସରଙ୍କୁ ବିନ୍ଦି ପିନ୍ଧିବା କାରଣରୁ ଜଣେ ପୋଲିସ ଅଧିକାରୀ ହଇରାଣ କରିଛନ୍ତି। ଏ ନେଇ ଢାକା ଟ୍ରିବ୍ୟୁନ ଖବର କାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ଢାକାସ୍ଥିତ ତଜଗାଓଁ କଲେଜରେ ଥିଏଟ୍ରୀ ଏବଂ ମିଡିଆ ଷ୍ଟଡିଜ ଲେକଚର ଥିବା ଲୋତା ସୁମାଦେର କହିଛନ୍ତି, ଶନିବାର ସକାଳେ କଲେଜ ପାଖରେ ଘଟିଥିବା ଘଟଣା ପରଠୁ ସେ ସୁରକ୍ଷିତ ଅନୁଭବ କରୁନାହାନ୍ତି। ପୋଲିସ ନିକଟରେ କରିଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି, ଜଣେ ପୋଲିସ ଅଧିକାରୀ ବିନ୍ଦି ପିନ୍ଧିଥିବାରୁ ଗାଳି ଗୁଲଜ କରିବା ସହ ହଇରାଣ କରିଥିଲେ। ସେ ଏହାକୁ ବିରୋଧ କରିବାରୁ ପୋଲିସ ଅଧିକାରୀ ତାଙ୍କୁ ଧମକାଇଥିଲେ। ଏପରି କି ତାଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇବା ବେଳେ ରାସ୍ତାରେ ପଡ଼ିଯିବାରୁ ଆହତ ହୋଇଛନ୍ତି।

ଶେର-ଇ-ବାଂଲା ନଗର ଥାନାର ବରିଷ୍ଠ ଅଧିକାରୀ ଉତ୍ପଳ ବାରୁଆ କହିଛନ୍ତି, ପ୍ରଫେସର ଅଭିଯୁକ୍ତ ଅଧିକାରୀଙ୍କ ନାମ ମନେ ପକାଇ ପାରୁ ନାହାନ୍ତି। କିନ୍ତୁ ସେ ତାଙ୍କ ମୋଟର ସାଇକେଲର ରେଜିଷ୍ଟ୍ରେଶନ ନମ୍ବର ପ୍ରଦାନ କରିଛନ୍ତି।

Share