କେନ୍ଦୁଝର,୧୮।୨ (ସ୍ବ.ପ୍ର.): ନିଜର ପୁଅ ନ ଥିବାରୁ ଧରମ ପୁଅ କରି ଆଣି ପାଳିଥିଲେ। ଏବେ ସେହି ଧରମ ପୁଅ ତାଙ୍କୁ ନିର୍ଯାତନା ଦେଉଛନ୍ତି। ନିର୍ଯାତନାରେ ଅତିଷ୍ଠ ହୋଇ ବିଧବା ମହିଳା ଜଣକ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ ମହିଳା ହେଲେ କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ପୁରୁମୁଣ୍ଡା ଗ୍ରାମର ମାନୀ ମୁଣ୍ଡା। ସେ ନିଜର ସୁରକ୍ଷା ପାଇଁ ଏସ୍ପିଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ତାଙ୍କର ପୁଅ ନ ଥିବାରୁ ପିଲାଟି ଦିନରୁ ଜାମାଦାର ମୁଣ୍ଡାଙ୍କୁ ଆଣି ପୁଅ ଭଳି ପାଳିଛନ୍ତି। ନିଜେ ଦୁଃଖ କଷ୍ଟ କରି ତାଙ୍କର ଲାଳନ ପାଳନ କରିଆସୁଥିଲେ। ଏପରିକି ବଡ଼ ହେବା ପରେ ଧରମ ପୁଅର ବାହାଘର ମଧ୍ୟ କରାଇଥିଲେ। ଗତ କିଛିଦିନ ହେଲା ଧରମ ପୁଅ ଓ ବୋହୂ ତାଙ୍କୁ ନିର୍ଯାତନା ଦେଇଆସୁଛନ୍ତି। କିଛିଦିନ ତଳେ ସେମାନେ ଏକ ମୋଟର ସାଇକେଲ କିଣି ଆଣିଦେବାକୁ ତାଙ୍କୁ କହିଥିଲେ। ସିମିତ ରୋଜଗାରରେ ଚଳିବା କଷ୍ଟକର ହୋଇଥିବା ବେଳେ ବାଇକ୍ ପାଇଁ ଟଙ୍କା ତାଙ୍କ ପାଇଁ ସାତସପନ। ଏଣୁ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ଲାଠିରେ ମାଡ଼ ମାରି ଲହୁଲୁହାଣ କରିବା ସହ ସେ ବାକ୍ସରେ ରଖିଥିବା ଟଙ୍କା ସେମାନେ ନେଇଯାଇଛନ୍ତି। ଏନେଇ ସେ ପଣ୍ଡାପଡ଼ା ଥାନାରେ ଅଭିଯୋଗ କରିଥିଲେ ହେଁ ନ୍ୟାୟ ନ ପାଇବାରୁ ଏସ୍ପିଙ୍କ ପାଖକୁ ଆସିଥିବା ମାନୀ କହିଥିଲେ। ଏପରିକି ଘରକୁ ଗଲେ ସେମାନେ ମାଡ଼ ମାରିବା ଭୟରେ ଫେରିବାକୁ ସେ ଅନିଚ୍ଛା ପ୍ରକାଶ କରିଥିଲେ। ହେଲେ କେଉଁଠି ଆଶ୍ରୟ ନେବେ ସେନେଇ ମଧ୍ୟ ସେ କିଛି କହି ପାରି ନ ଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ସୁରକ୍ଷା ଦେବାକୁ ସେ ଏସ୍ପିଙ୍କ ନିକଟରେ ନିବେଦନ କରିଛନ୍ତି। ଏ ଦିଗରେ ପଦକ୍ଷେପ ନେବାକୁ ଏସ୍ପି ମିତ୍ରଭାନୁ ମହାନାତ୍ର ପଣ୍ଡାପଡ଼ା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।