ସିଦ୍ଧ ଜଗନ୍ନାଥ ମନ୍ଦିର ପରିସରରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର, ୩୧।୫ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ସିଦ୍ଧ ଜଗନ୍ନାଥ ମନ୍ଦିର ପାଚେରି ଭାଙ୍ଗି ଦେଇଛନ୍ତି ହାତୀପଲ। ମଙ୍ଗଳବାର ଭୋରରେ ମଠ ପରିସରରେ ଥିବା ପାଚିଲା ପଣସ ଖାଇବାକୁ ଏକ ଛୁଆହାତୀ ଭିତରକୁ ଯାଇଥିବା ବେଳେ ତାକୁ ଉଦ୍ଧାର ପାଇଁ ହାତୀପଲ ପଶିଥିଲେ। ପାଚେରି ଭାଙ୍ଗିଯାଇଥିବା ବେଳେ କାହାରି କିଛି କ୍ଷତି ହୋଇ ନ ଥିବା ପୂଜକ କହିଛନ୍ତି।
ସିଦ୍ଧମଠ ଜଙ୍ଗଲରେ କିଛିଦିନ ହେଲା ତିନି ଛୁଆହାତୀକୁ ମିଶାଇ ୬ଟି ହାତୀ ବୁଲୁଛନ୍ତି। ସୋମବାର ବିଳମ୍ବିତ ରାତିରେ ହାତୀପଲ ସିଦ୍ଧମଠ ଅଞ୍ଚଳକୁ ଓହ୍ଲାଇ ଆସିଥିଲେ। ମଙ୍ଗଳବାର ଭୋରରେ ମନ୍ଦିର ପ୍ରାଙ୍ଗଣରେ ଥିବା ପଣସ ଗଛରୁ ପାଚିଲା ପଣସ ଖାଇବାକୁ ଏକ ଛୁଆହାତୀ ପାଚେରିକୁ ଅଧା ଭାଙ୍ଗି ଭିତରକୁ ଡେଇଁ ପଶିଯାଇଥିଲା। ସେ ଆଉ ବାହାରି ନ ପାରିବାରୁ ଦଳରେ ଥିବା ଅନ୍ୟ ହାତୀମାନେ ପାଚେରି ଚାରିପାଖେ ବୁଲି ଭାଙ୍ଗିଥିଲେ। କେତୋଟି ହାତୀ ଭିତରକୁ ପଶି ଛୁଆହାତୀକୁ ଟେକି ପାଚେରି ପାର୍‌ କରିବା ପରେ ବାହାରେ ଥବା ଅନ୍ୟ ହାତୀ ତାକୁ ଧରି ଚାଲିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ଭୋଗ ଦୋକାନୀ ହାଡ଼ିବନ୍ଧୁ ପ୍ରଧାନ କହିଛନ୍ତି। ସେଠାରୁ ବାହାରି ହାତୀପଲ ନିକଟରେ ଥିବା ପୋଡାଉଆସ ସାହି ମୁହଁା ହେବାରୁ କର୍ମଚାରୀମାନେ ଘଉଡ଼ାଇ ଦେଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସେବାୟତ ହରିହର ପାଢ଼ୀ କହିଛନ୍ତି, ୧୨/୧୩ ଦିନ ହେଲା ହାତୀପଲ ଏହି ଅଞ୍ଚଳରେ ବୁଲୁଥିବାରୁ ଭୟରେ ରାତିରେ ଏଠାରେ କେହି ରହୁ ନାହାନ୍ତି। ଖବରପାଇ ଆସି ହାତୀପଲ ପାଚେରି, ଗଛ ଓ ପାତାଳି କ୍ଷେତ୍ର ଭାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ। ବନ ବିଭାଗ ପକ୍ଷରୁ ଆସି ଘଟଣାର ଅନୁଧ୍ୟାନ କରାଯାଇଛି। ଛଅଟିକିଆ ହାତୀପଲ କିଛିଦିନ ହେଲା ବୁଲୁଛନ୍ତି। ଘଉଡ଼ାଇ ଦେବା ଫଳରେ ହାତୀପଲ ଏବେ ପାଖ ରେଞ୍ଜ୍‌ର ସିଦ୍ଧମଠ ପାହାଡ଼କୁ ପଳାଇ ଯାଇଛନ୍ତି। ଅନ୍ୟ କୌଣସି କାହାରି କ୍ଷତି ହୋଇ ନାହିଁ ବୋଲି ରେଞ୍ଜ୍‌ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି।

Share