Categories: ଖେଳ

୧୪ ବର୍ଷ ପରେ କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ,୫।୬: ପୂର୍ବତନ କ୍ରିକେଟର୍‌ ହରଭଜନ ସିଂ ଭାରତର ଅନ୍ୟତମ ସଫଳ ବୋଲର। ଅନେକ ବିବାଦ କାରଣରୁ ହରଭଜନ ଚର୍ଚ୍ଚାରେ ଥିଲେ। ୧୪ ବର୍ଷ ପୂର୍ବେ ହୋଇଥିବା ଭୁଲ ପାଇଁ ହରଭଜନ ସିଂ ନିକଟରେ କ୍ଷମା ମାଗିଛନ୍ତି।
୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲ। ପ୍ରଥମ ସିଜିନରେ ହରଭଜନ ସିଂ ଆଇପିଏଲର ସବୁଠାରୁ ବଡ ବିବାଦର ଏକ ଅଂଶ ହୋଇଥିଲେ। ହରଭଜନ ଏକ ମ୍ୟାଚ୍‌ରେ ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ। ମ୍ୟାଚ ହାରିଯିବା ପରେ କ୍ରୋଧରେ ହରଭଜନ ସିଂ ଏହା କରିଥିଲେ। ଏହି ଚାପୁଡ଼ା ଘଟଣାକୁ କେହି ଭୁଲି ନାହାଁନ୍ତି। ନିକଟରେ ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ୧୪ ବର୍ଷ ପରେ ତାଙ୍କ ଭୁଲକୁ ସ୍ବୀକାର କରିଛନ୍ତି।
ଆଇପିଏଲର ଏହି ସିଜନରେ ହରଭଜନ ସିଂ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଏବଂ ଶ୍ରୀସନ୍ଥ କିଙ୍ଗସ ଏକାଦଶ ପଞ୍ଜାବର ଅଂଶ ଥିଲେ। ଆଇପିଏଲରେ ଏହି ଘଟଣା ପରେ ହରଭଜନଙ୍କୁ ପୂରା ସିଜିନ୍‌ରୁ ବାଦ୍‌ ଦିଆଯାଇଥିଲା। ଏହା ପରେ ତାଙ୍କୁ ପାଞ୍ଚଟି ଦିନିକିଆ ପାଇଁ ମଧ୍ୟ ବ୍ୟାନ୍‌ କରାଯାଇଥିଲା। ଗ୍ଲାନ୍ସ ଲାଇଭ ଫେଷ୍ଟରେ କଥାବାର୍ତ୍ତା ବେଳେ ହରଭଜନ ସିଂ କହିଛନ୍ତି, ଯାହା ଘଟିଥିଲା ତାହା ଭୁଲ ଥିଲା। ମୁଁ ଭୁଲ କରିଥିଲି। ମୋ ପାଇଁ ପୂରା ଦଳକୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଲା ଏବଂ ମୁଁ ମଧ୍ୟ ଲଜ୍ଜିତ ହେଲି।
ଭାରତର ଷ୍ଟାର ଫାଷ୍ଟ ବୋଲରମାନଙ୍କ ମଧ୍ୟରୁ ଶ୍ରୀସନ୍ଥ ଅନ୍ୟତମ। ସେ ୨୦୦୭ ଏବଂ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଏକ ଅଂଶ ଥିଲେ। ଆଇପିଏଲରେ ସେ ପଞ୍ଜାବ କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ। ୨୭ଟି ଟେଷ୍ଟ ମ୍ୟାଚ ବ୍ୟତୀତ ସେ ଭାରତ ପାଇଁ ୫୩ଟି ଦିନିକିଆ ଏବଂ ୧୦ ଟି -୨୦ ଖେଳିଛନ୍ତି। ତାଙ୍କ ନାମରେ ୧୬୯ ଉଇକେଟ ଅଛି। ଶ୍ରୀସନ୍ଥ ମଧ୍ୟ ଆଇପିଏଲରେ ୪୪ଟି ମ୍ୟାଚ ଖେଳିଛନ୍ତି।

Share