ଦରମାକୁ ନେଇ ଏମ୍‌ପି ହରଭଜନଙ୍କ ବଡ଼ ଘୋଷଣା

ଅମୃତସର,୧୬।୪: କ୍ରିକେଟରୁ ରାଜନେତା ବନିଥିବା ଭାରତୀୟ ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ ନିକଟରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ରୁ ନିର୍ବାଚନ ଲଢ଼ି ପଞ୍ଜାବ ରାଜ୍ୟ ସଭା ଏମ୍‌ପି ହୋଇଛନ୍ତି। ଏହାକୁ ନେଇ ଶନିବାର ସେ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସଭାରୁ ହରଭଜନ ପାଇବାକୁ ଥିବା ଦରମା ନିଜ ପାଇଁ ଖର୍ଚ୍ଚ କରିବେ ନାହିଁ। ବରଂ ସମସ୍ତ ଦରମା ବାବଦ ଟଙ୍କା ସେ ଦେଶର ଚାଷୀମାନଙ୍କ ଝିଅଙ୍କ ପାଠପଢ଼ା ଓ କଲ୍ୟାଣ ପାଇଁ ଦେବେ ବୋଲି କହିଛନ୍ତି। ଏଥିସହ ଜଣେ ରାଜ୍ୟସଭା ସଦସ୍ୟ ହିସାବରେ ଦେଶର ଉନ୍ନତି ପାଇଁ ଯାହା ସବୁ ଦରକାର ନିଜର କ୍ଷମତା ବଳରେ ସେସବୁ କରିବେ ବୋଲି ମଧ୍ୟ ସେ କହିଛନ୍ତି।

୪୧ ବର୍ଷୀୟ ହରଭଜନ ଟୁଇଟ୍‌ କରି କହିଛନ୍ତି, ‘ଜଣେ ରାଜ୍ୟ ସଭା ସଦସ୍ୟ ହିସାବରେ ମୁଁ ମୋର ରାଜ୍ୟ ସଭା ଦରମାକୁ ଚାଷୀମାନଙ୍କ ଝିଅଙ୍କ ଶିକ୍ଷା ଓ କଲ୍ୟାଣ କ୍ଷେତ୍ରରେ ବିନିଯୋଗ କରିବାକୁ ଚାହୁଁଛି। ଆମେ ଦେଶର ଉନ୍ନତି ପାଇଁ ମୁଁ ଯୋଗଦାନ କରିବାକୁ ଚାହେଁ। ମୋ ଦ୍ୱାରା ଯାହା ସମ୍ଭବ ହୋଇପାରିବ, ମୁଁ କରିବି। ଜୟ ହିନ୍ଦ।’

Share