Categories: ଖେଳ

ଭଜିଙ୍କ ସର୍ବକାଳିନ ଟି୨୦ ଦଳରେ କୋହଲିଙ୍କ ପାଇଁ ସ୍ଥାନ ନାହିଁ

ନୂଆଦିଲ୍ଲୀ,୭।୧୧: ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂ ରବିବାର ନିଜର ସର୍ବକାଳିନ ଟି୨୦ ଏକାଦଶ ବାଛିଛନ୍ତି। ପୂର୍ବତନ ଓ ବର୍ତ୍ତମାନ ତାରକା ଖଚ୍ଚିତ ଦଳରେ ଭଜିଙ୍କ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ।

ଭଜିଙ୍କ ଦଳରେ ଓପନର ଭାବେ ସ୍ଥାନ ପାଇଛନ୍ତି ରୋହିତ ଶର୍ମା ଓ ଓ୍ବେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିସ୍‌ ଗେଲ୍‌। ମଧ୍ୟକ୍ରମରେ ଇଂଲଣ୍ଡ ଉଇକେଟକିପର ଜୋସ ବଟଲର, ପୂର୍ବତନ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଶେନ ଓ୍ବାଟସନ ଓ ଦକ୍ଷିଣ ଆଫ୍ରିକା ଷ୍ଟାର ଏବି ଡି’ଭିଲିୟର୍ସଙ୍କୁ ରଖିଛନ୍ତି। ୬ଷ୍ଠ କ୍ରମରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ରଖିଥିବା ବେଳେ ତାଙ୍କ ପଛକୁ ରହିଛନ୍ତି ଓ୍ବେଷ୍ଟଇଣ୍ଡିଜର ୩ ଅଲରାଉଣ୍ଡର। ସେମାନେ ହେଲେ ଡ୍ବେନ ବ୍ରାଭୋ, କିରନ ପୋଲାର୍ଡ ଓ ସୁନୀଲ ନାରିନ। ଦଳରେ ପେସର ଭାବେ ଭାରତର ଯଶପ୍ରୀତ ବୁମରା ଓ ଶ୍ରୀଲଙ୍କାର ପୂର୍ବତନ ପେସର ଲାସିଥ ମଲିଙ୍ଗାଙ୍କୁ ରଖିଛନ୍ତି।

”ଧୋନୀ ଦଳର ଅଧିନାୟକ ହେବା ସାଙ୍ଗକୁ ଉଇକେଟକିପିଂ କରିବେ। ମୋ ଦଳରେ ଜୋସ ବଟଲର ଅଛନ୍ତି। କିନ୍ତୁ ମୁଁ ଚାହେଁ, ଧୋନୀ ଉଇକେଟକିପିଂ କରନ୍ତୁ “ ବୋଲି ଟୁଇଟରରେ ପୋଷ୍ଟ କରିଥିବା ଭିଡିଓରେ ଭଜି କହିଛନ୍ତି।

ଅନ୍ତର୍ଜାତୀୟ ଟି୨୦ରେ କୋହଲିଙ୍କ ନାମରେ ରହିଛି ସର୍ବାଧିକ ୩,୨୨୭ ରନ୍‌। ସେ ୫୨.୦୪ ହାରରେ ଏହି ରନ୍‌ ସଂଗ୍ରହ କରିଛନ୍ତି। ତା ଛଡ଼ା ୨୦୧୪ ଓ ୨୦୧୬ ଟି୨୦ ବିଶ୍ୱକପ୍‌ ସଂସ୍କରଣରେ କୋହଲି ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ଏଭଳି ପ୍ରଦର୍ଶନ ସତ୍ତ୍ୱେ କୋହଲିଙ୍କୁ ସର୍ବକାଳିନ ଏକାଦଶରେ ସ୍ଥାନ ଦେଇ ନାହାନ୍ତି ଭଜି।

Share