କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏଏପି ହରଭଜନ ସିଂଙ୍କ ନାମ ରାଜ୍ୟ ସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି।
ରାଜ୍ୟର ନବନିର୍ବାଚିତ ଏଏପି ସରକାର କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣର ଦାୟିତ୍ୱ ହରଭଜନ ସିଂଙ୍କୁ ଦେଇପାରନ୍ତି ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ରୀଡାର ବିକାଶ କରିବା ଏବଂ ଜଳନ୍ଧରରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପ୍ରତିଶ୍ରୁତି ଦେଇଛନ୍ତି।
ମାନ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହରଭଜନ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଟୁଇଟର୍‌ରେ ଲେଖିଛନ୍ତି, ଆମ ଆଦମୀ ପାର୍ଟି ଏବଂ ମୋର ବନ୍ଧୁ ଭାଗଓ୍ବନ୍ତ ମାନଙ୍କୁ ଆମର ନୂତନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ, ଭଗତ ସିଂଙ୍କ ଖଟକର କଲାନ ଗ୍ରାମରେ ସେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଜାଣି ଖୁସି ଲାଗିଲା। ମାତା ଜି ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ।
ହରଭଜନ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଗତ ବର୍ଷ ଡିସେମ୍ବରରେ ପଞ୍ଜାବ କଂଗ୍ରେସର ତତ୍କାଳୀନ ସଭାପତି ନବଜୋତ ସିଦ୍ଧୁ ହରଭଜନଙ୍କ ସହ ଏକ ଫଟୋ ଟୁଇଟ୍‌ କରିଥିଲେ। ଫଳରେ କ୍ରିକେଟର ହରଭଜନ ସିଂଙ୍କ ଭାଜପାରେ ଯୋଗଦେବା ନେଇ ଗୁଜବ ଥିଲା। ଯାହା ପରେ ନିଜେ ହରଭଜନ ଏହାକୁ ପ୍ରତ୍ୟାଖ୍ୟାନ କରି ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ମିଥ୍ୟା ବୋଲି କହିଥିଲେ।
ପଞ୍ଜାବରେ ଆମ ଆଦମୀ ପାର୍ଟିର ଏହା ହେଉଛି ପ୍ରଥମ ବିଜୟ। ୧୧୭ଟି ବିଧାନସଭା ଆସନ ଜିତି ଏଏପି ଐତିହାସିକ ବିଜୟ ହାସଲ କରିଛି। ଏବେ ପଞ୍ଜାବର ପାଞ୍ଚଟି ରାଜ୍ୟ ସଭା ଆସନ ଆସନ୍ତା ମାସରେ ଖାଲି ହେବାକୁ ଯାଉଛି।

Share