ମା’ଙ୍କ ଦେହ ଖରାପ ଯୋଗୁ ଦଳ ସହ ଯିବେ ନାହିଁ ହରଭଜନ

ଚେନ୍ନାଇ, ୨୦।୮: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ଭାଗନେବା ଲାଗି କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଦଳ ଗୁରୁବାର ୟୁଏଇ ଅଭିମୁଖେ ଯାତ୍ରା କରିଛନ୍ତି। ସେହିଭଳି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଶୁକ୍ରବାର ୟୁଏଇ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ସିଏସ୍‌କେ ବରିଷ୍ଠ ଖେଳାଳି ହରଭଜନ ସିଂ ଦଳ ସହ ଶୁକ୍ରବାର ଯିବେ ନାହିଁ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବିକ ହରଭଜନଙ୍କ ମା’ଙ୍କ ଦେହ ଖରାପ ଅଛି। ଯେଉଁ କାରଣରୁ ଏହି ଭେଟେରାନ ଅଫ୍‌-ସ୍ପିନର ଅଗଷ୍ଟ ୨୧ରେ ସୁପର୍‌ କିଙ୍ଗ୍ସ ସହ ୟୁଇଏ ଯାତ୍ରା କରିପାରିବେ ନାହିଁ। ଦୁଇ ସପ୍ତାହ ମଧ୍ୟରେ ସେ ୟୁଏଇରେ ଦଳ ସହ ଯୋଗଦେବେ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି। ଏଥିପୂର୍ବରୁ ହରଭଜନ ମଧ୍ୟ ସିଏସ୍‌କେର କଣ୍ଡିସନିଂ କ୍ୟାମ୍ପରେ ଯୋଗ ଦେଇ ନ ଥିଲେ। ଦଳର ଏହି କ୍ୟାମ୍ପ୍‌ ଗୁରୁବାର ଶେଷ ହୋଇଛି। ଧୋନୀଙ୍କ ସମେତ ସୁରେଶ ରାଇନା, ରବୀନ୍ଦ୍ର ଜାଡେଜାଙ୍କ ପରି ସିନିୟର ଖେଳାଳି ଦଳ ସହ ଶୁକ୍ରବାର ୟୁଇଏ ଯାତ୍ରା କରିବେ।

Share