ହରଭଜନଙ୍କ ବିବାଦୀୟ ବୟାନ, ଅନୁଷ୍କାଙ୍କ ମ୍ୟାଚ ଦେଖିବାକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୧୯।୧୧: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ୨୪୧ ରନର ଲକ୍ଷ୍ୟ ସ୍ଥିର କରିଛି ଏବଂ ବର୍ତ୍ତମାନ କଙ୍ଗାରୁ ଦଳ ପୂର୍ଣ୍ଣ ଶକ୍ତି ସହିତ ଆଗକୁ ବଢୁଛନ୍ତି। ଏହାରି ଭିତରେ କ୍ରିକେଟର ହରଭଜନ ସିଂଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି , ଯାହା ଫାଇନାଲ ମ୍ୟାଚରେ ମନ୍ତବ୍ୟ ଦେବାବେଳେ ଦେଇଥିବା ବେଳେ ସେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ କେ.ଏଲ ରାହୁଲଙ୍କ ପତ୍ନୀ ଆଥିଆ ଶେଟ୍ଟୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଫାଇନାଲ ମ୍ୟାଚରେ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ହରଭଜନ ସିଂ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ ଭାରତୀୟ ଇନିଂସ ସମୟରେ ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀଙ୍କ ବିଷୟରେ ଦେଇଥିବା ବୟାନ ଯୋଗୁ ସେ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି। ଘଟଣା ହେଲା ଯେତେବେଳେ କ୍ୟାମେରାମ୍ୟାନ ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀଙ୍କ ଆଡକୁ ଧ୍ୟାନ ଦେଇଥିଲେ, ହରଭଜନ ସିଂ ପଚାରିଥିଲେ ଏହି ଦୁଇଜଣ ପରସ୍ପର ସହ କ’ଣ କଥାବାର୍ତ୍ତା କରିବେ। ମୁଁ ଭାବୁନାହିଁ ଯେ ତାଙ୍କର କ୍ରିକେଟ ବିଷୟରେ ଏମାନେ ଅଧିକ କିଛି ଜାଣିଛନ୍ତି, ତେଣୁ ସେ କେବଳ ବଲିଉଡ ବିଷୟରେ କଥା ହେଉଥିବେ।
ମନ୍ତବ୍ୟ ସମୟରେ ହରଭଜନ ସିଂ ଦେଇଥିବା ଏହି ବୟାନକୁ ପ୍ରଶଂସକମାନେ ପସନ୍ଦ କରୁନଥିଲେ ଏବଂ ସେମାନେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ଟୁଇଟରରେ ଅନେକ ୟୁଜର ହରଭଜନଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହୁଛନ୍ତି। ତେବେ କିଛି ୟୁଜର ଏହାକୁ ଥଟ୍ଟା ବୋଲି କହୁଛନ୍ତି। ତଥାପି, କୌଣସି ସ୍ଥାନରେ ଆଜି ମଧ୍ୟ ଆମ ସମାଜର ଲୋକମାନେ ଝିଅମାନଙ୍କ ବିଷୟରେ ଭାବନ୍ତି ଯେ ସେମାନଙ୍କର କ୍ରିକେଟ ବିଷୟରେ ବିଶେଷ ଜ୍ଞାନ ନାହିଁ। ତେବେ ଭାରତୀୟ ମହିଳା କ୍ରିକେଟ ଦଳ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣ କରିଛନ୍ତି। ନିକଟରେ ହରମନପ୍ରୀତ କୌର ଆଣ୍ଡ କମ୍ପାନୀ ଏସୀୟ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ।