ବେଲଗୁଣ୍ଠା,୨୬/୨(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ):ବେଲଗୁଣ୍ଠା ବ୍ଲକ ପାଇଲିପଡା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବରେ ନିଜର ପଦ ହରାଇଛନ୍ତି। ଗତ ନଭେମ୍ବର ୩୦ ତାରିଖରେ ପାଇଲିପଡା ସରପଞ୍ଚ ଜୟରାମ ନାୟକଙ୍କ ବିରୋଧରେ ୱାର୍ଡ ମେମ୍ବରମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଏବଂ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ସରପଞ୍ଚ ଓ ୧୯ ଜଣ ୱାର୍ଡ ସଭ୍ୟାସଭ୍ୟ ନିଜର ମତ ସାବ୍ୟସ୍ତ କରିଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶରେ ଫଳାଫଳ ଘୋଷଣା ହୋଇପାରିନଥିଲା। ଭୋଟ ବାକ୍ସକୁ ଭଞ୍ଜନଗର ଟ୍ରେଜେରି ଷ୍ଟ୍ରଙ୍ଗ ରୁମରେ ରହିଥିଲା । ଫଳରେ ଭାଜପା ତରଫରୁ ଏହାକୁ କୋର୍ଟରେ ଅପିଲ କରାଯାଇଥିଲା । କୋର୍ଟ ଏହି ଅପିଲ ସପକ୍ଷରେ ରାୟ ଦେଇ ୨୪ ତାରିଖରେ ଭୋଟ ବାକ୍ସ ଖୋଲି ଗଣତି ଓ ଫଳାଫଳ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପ୍ରକାରେ ମଙ୍ଗଳବାର ବେଲଗୁଣ୍ଠା ତହସିଲଦାର ତଥା ନିର୍ବାଚନ ଅଧିକାରୀ କଳାକୃଷ୍ଣ ପ୍ରଧାନଙ୍କ ଉପସ୍ଥିତିରେ ଭୋଟ ବାକ୍ସ ଖୋଲାଯାଇଥିଲା । ଏଥିରେ ୧୪ ଜଣ ଅନାସ୍ଥା ସପକ୍ଷରେ ମତଦାନ କରିଥିବା ବେଳେ ୬ ଜଣ ଅନାସ୍ଥା ବିପକ୍ଷରେ ଭୋଟ ଦେଇଥିବାରୁ ସରପଞ୍ଚ ଜୟରାମ ନାୟକଙ୍କ ପଦ ରଦ୍ଦ ହୋଇଥିବା ଘୋଷଣା କରାଯାଇଥିଲା। ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରାଯାଇଥିଲା । ପାଇଲିପଡା ପଞ୍ଚାୟତ ନୁଆଗଡ ଗ୍ରାମର ୧୪ ନମ୍ବର ୱାର୍ଡ଼ ମେମ୍ବର ତଥା ନାଏବ ସରପଞ୍ଚ ସଲିଳା ମହାରଣା ଆଭ୍ୟନ୍ତରୀଣ ସରପଞ୍ଚ ଭାବେ ଦାୟିତ୍ୱ ର୍ନିବାହ କରିବା ନେଇ ଜିଲ୍ଲାପାଳଙ୍କ ଚିଠି ନମ୍ବର ୨୬୨ ପ୍ରକାରେ ନିର୍ଦ୍ଦେଶ ଦେଇଛନ୍ତି। ଗାଙ୍ଗପୁର ଥାନା ଅଧିକାରି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲା।