Categories: ଜାତୀୟ

ଘର ତିଆରି କରିବାକୁ ବାକ୍ସରେ ରଖିଥିଲେ ଲକ୍ଷାଧିକ ଟଙ୍କା, ଖାଇଗଲେ ଉଇ

ଭୋପାଳ,୧୭।୨: କୁହାଯାଏ, କଷ୍ଟ ଅର୍ଜିତ ଧନ ନଷ୍ଟ ହୁଏ ନାହିଁ, ମାତ୍ର ଯେତେବେଳେ ଭାଗ୍ୟ ସାଥ୍‌ ଦେଇ ନ ଥାଏ ତାହା ମଧ୍ୟ ଆପଣଙ୍କ ପାଖରେ ରହେ ନାହିଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ। ଏଠାକାର ଜଣେ ବ୍ୟବସାୟୀ ବିଳାସମୟ ଘର ତିଆରି କରିବାକୁ ଲକ୍ଷାଧିକ ଟଙ୍କା ସଞ୍ଚୟ କରିଥିଲେ। ମାତ୍ର ଏହି ଟଙ୍କା ସବୁକୁ ବର୍ତ୍ତମାନ ଉଇ ଖାଇ ଦେଇଛନ୍ତି।

କୃଷ୍ଣା ଜିଲାର ମାଇଲଓ୍ବାରମରେ ବିଜ୍‌ଲୀ ଜମାଳୟ ନାମକ ଜଣେ ବ୍ୟବସାୟୀ ଘୁଷୁରି କିଣାବିକା କରିଥାନ୍ତି। ଏଥିରୁ ତାଙ୍କର ବହୁତ ରୋଜଗାର ହୁଏ। ସେ ଟଙ୍କାକୁ ବ୍ୟାଙ୍କରେ ନ ରଖି ଘରେ ଏକ ବାକ୍ସରେ ରଖିଥିଲେ। ସେ ଏକ ବଡ଼ ଘର ତିଆରି କରିବାକୁ ସ୍ବପ୍ନ ଦେଖୁଥିଲେ। ଦିନେ ସେ ଏହି ବାକ୍ସ ଖୋଲି ଦେଖିବାରୁ ତାଙ୍କର କଷ୍ଟ ଅର୍ଜିତ ଧନ ସବୁ ନଷ୍ଟ ହୋଇଯାଇଛି। ଅର୍ଥାତ୍‌ ସବୁ ଟଙ୍କା ଉଇ ଖାଇଯାଇଛି। ସେ ଏହା ଦେଖି ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେନି। ବ୍ୟବସାୟୀ ଜଣକ ଭାବିଲେ ଏହି ଟଙ୍କା ତ ତାଙ୍କର କୌଣସି କାମରେ ଆସିବନି। ତେଣୁ ୨ ପିଲାଙ୍କ ମଧ୍ୟରେ ଏହାକୁ ବାଣ୍ଟି ଦେଲେ ସେମାନେ ଏଥିରେ ଖେଳିପାରିବେ। ପିଲାମାନେ ଏହି ଟଙ୍କାରେ ଖେଳୁଥିବା ଦେଖି ପୋଲିସକୁ କେହି ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାକ୍ସ ଭର୍ତ୍ତି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଜବତ କରି ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

Share