ହର୍ଡ ଇମୁନିଟି ନା ଗଣହତ୍ୟା

ସହଦେବ ସାହୁ

 

ଯୁକ୍ତରାଷ୍ଟ୍ର ଆମେରିକାରେ ଅକ୍ଟୋବର ମାସ ଆରମ୍ଭରୁ ଦୈନିକ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି,୨୩ ତାରିଖରେ ସର୍ବାଧିକ ୭୯,୦୦୦ ଲୋକ ଚିହ୍ନଟ ହୋଇଛନ୍ତି। ଏ ରେକର୍ଡ ଆଗରୁ ଜୁଲାଇ ୧୬ରେ ଚିହ୍ନଟ ସଂକ୍ରମିତ ସଂଖ୍ୟା ୩୦,୦୦୦ରୁ ଖୁବ୍‌ ବେଶି ।
ଶୀତ ଆସିଲେ କରୋନା ସଂକ୍ରମଣ ବଢିପାରେ ବୋଲି କହୁଥିବା ବୈଜ୍ଞାନିକମାନଙ୍କ ବାଣୀକୁ ସତ ବୋଲି ଏହା ପ୍ରମାଣିତ କରୁଛି । ଭାରତରେ ବି ଶୀତ ଋତୁ ଆସୁଛି। ପୁଣି, ସୁଇଡେନରେ ହର୍ଡ ଇମୁନିଟି (ଗୋଷ୍ଠ ବା ସାମାଜିକ ପ୍ରତିରୋଧ ଶକ୍ତି) କୌଶଳ ରୋଗପ୍ରତିରୋଧ ଶକ୍ତି ବଢାଇବାରେ ଫେଲ୍‌ ମାରିଥିଲେ ବି ଯୁକ୍ତରାଷ୍ଟ୍ର ସରକାରଙ୍କ ସଚିବାଳୟ (ହ୍ବାଇଟ୍‌ ହାଉସ୍‌) ହର୍ଡ ଇମୁନିଟି ସପକ୍ଷରେ ରାୟ ଦେଇଆସୁଛନ୍ତି। ଜନସଂଖ୍ୟାର ଯେତେ ଶତାଂଶ ସଂକ୍ରମିତ ହେଲେ ପ୍ରତିରୋଧକ ଶକ୍ତି ଯଥେଷ୍ଟ ହେବ ଏକ୍ସପର୍ଟମାନଙ୍କ ମତରେ ତାହା ହେଉଛି ୭୦। କିନ୍ତୁ ଆମେରିକାରେ ଏଯାବତ୍‌ ଜନସଂଖ୍ୟାର ମାତ୍ର ୧୦ପ୍ରତିଶତ କୋଭିଡ୍‌-୧୯ ଭାଇରସ ସଂସ୍ପର୍ଶରେ ଆସିଛନ୍ତି ଅର୍ଥାତ୍‌ ସେତିକି ସଂଖ୍ୟକ ମାର୍କିନ୍‌ମାନଙ୍କ ଦେହରେ ରକ୍ଷାକାରୀ ଆଣ୍ଟିବଡି ବିକଶିତ ହୋଇଥାଇପାରେ। ଏହାର ମାନେ କୋଟି କୋଟି ମାର୍କିନ୍‌ ଲୋକ ଏବେ ବି ଆଘାତପ୍ରବଣ। ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ।
ଭାରତରେ ବି ସେହି କଥା । ପ୍ରାୟ ୪ କୋଟି ଲୋକ ଭାଇରସ-ସଂସ୍ପର୍ଶରେ ଆସିଲେଣି ବୋଲି ଅନୁମାନ କରାଯାଉଛି, ସେହିମାନେ ହିଁ ସଂକ୍ରମଣ ବିରୋଧରେ ଶକ୍ତି ହାସଲ କରିଥାଇପାରନ୍ତି ା କିନ୍ତୁ ୭୦ପ୍ରତିଶତ ମାନେ ତ ୧୦୦ କୋଟି ! ତେଣୁ ଗାଁ ଗହଳିରେ ବ୍ୟାପିଲେ ହିଁ ୧୦୦ କୋଟି ହେବ ା ସେ ପ୍ରକାରର ସଂକ୍ରମଣକୁ ସମ୍ଭାଳିପାରିବା ତ! ଟିକା ବାହାରିଗଲେ ସରକାର ସେତିକି ସଂଖ୍ୟକ ଲୋକଙ୍କୁ ଟିକା ଦେଇ ସେମାନଙ୍କ ଦେହରେ ଆଣ୍ଟିବଡି ତିଆରି କରାଇପାରିବେ; କିନ୍ତୁ କେତେ ସମୟ ଦରକାର ଭାବିପାରୁଛନ୍ତି ତ! ଚିନ୍ତା କରିବାର ବହୁତ ଦିଗ: ଏତେ ଲୋକଙ୍କୁ ଟିକା ଦେବାପାଇଁ ଦେଶସାରା ସବୁ ବସ୍ତିକୁ ଛୁଇଁବାକୁ ପଡିବ; ବୋଝ ବୋଝ ଟିକା ବୋହିନେବା, ବରଫାବୃତ୍ତ କରି ରଖିବା, ଭଣ୍ଡାରରେ ମହଜୁଦ ରଖିବା, ତାଲିମପ୍ରାପ୍ତ ଟିକାଦେବାବାଲା ଲୋକ ଯୋଗାଡ କରିବା, ଆଘାତପ୍ରବଣ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଥମେ ଟିକା ଦେବା, ଯାହାକୁ ଟିକାଦେବା ତାକୁ ନଜରରେ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ବା ଚିକିତ୍ସା ଯୋଗାଇବା, ଏ ସବୁ କାମ ପାଇଁ ସଂଖ୍ୟାଧିକ ସ୍ବାସ୍ଥ୍ୟକର୍ମୀ ଯୋଗାଡ କରିବା ଇତ୍ୟାଦି ା
ଆମ ଦେଶର ଲୋକସଂଖ୍ୟା ୧୪୦ କୋଟି ପାଖାପାଖି, ପୃଥିବୀର ଜନସଂଖ୍ୟାର ପ୍ରାୟ ୨୦ପ୍ରତିଶତ। ଏତେ ଲୋକଙ୍କ ଭିତରେ ହର୍ଡ ଇମୁନିଟି ଆଣିବାର ଏକମାତ୍ର ଉପାୟ ହୋଇଛି ସମୂହ ଟିକାଦାନ ା କିନ୍ତୁ ଟିକା ତ ଏତେ ଶୀଘ୍ର ବାହାରୁନାହିଁ। ତା’ ହେଲେ କ’ଣ ସମସ୍ତଙ୍କୁ ସଂକ୍ରମିତ ହୋଇଯିବାକୁ ଛାଡିଦେବା? ଯେଉଁମାନେ ଲକ୍‌ଡାଉନ୍‌ ବ୍ୟବସ୍ଥା ଉଠାଇଦେଇ ସ୍କୁଲ,କଲେଜ ଓ ଦୋକାନ ବଜାର ଖୋଲିବାକୁ ଚାହୁଁଛନ୍ତି ସେମାନେ ପରୋକ୍ଷରେ ତାହା ହିଁ ଚାହୁଁଛନ୍ତି।
ସହାନୁଭୂତିମୂଳକ କାଯର୍‌ୟାବଳୀ ମାନେ ବିପଦ ଆଉ ସମ୍ପଦ ଭିତରେ ସମନ୍ବୟ ରଖିବା ା ହର୍ଡ ଇମୁନିଟି ପାଇବା ପାଇଁ ଆମକୁ ପ୍ରଥମେ ଖୋଜି ଖୋଜି ଏପରି ଲୋକଙ୍କୁ ବାହାର କରିବାକୁ ପଡିବ, ଯେଉଁମାନଙ୍କ ମୃତ୍ୟୁଆଶଙ୍କା ବହୁତ କମ୍‌, ଯେଉଁମାନେ ସ୍ବାଭାବିକ ଜୀବନଯାତ୍ରା ଚଲାଇଆସୁଛନ୍ତି, କୌଣସି ପ୍ରକାରର ଅସୁସ୍ଥତା ପ୍ରକାଶ କରିନାହାନ୍ତି ା ସେହିମାନଙ୍କୁ ପ୍ରଥମେ ଟିକା ଦେବାକୁ ପଡିବ ା ମହାମାରୀ ଭିତରେ ଆମେ ୮ ମାସରୁ ବେଶି ରହିଲୁଣି, ହର୍ଡ ଇମୁନିଟି ତ କାହିଁକି କେଉଁଠି ଆସିନାହିଁ ା ଖାଲି ସୁଇଡେନ୍‌ ଉଦାହରଣ ଦେଖନ୍ତୁ ା ଯେତେବେଳେ ଅନେକ ଦେଶ ମହାମାରୀ ଆରମ୍ଭରେ ପୂରା ଲକ୍‌ଡାଉନ୍‌ ଚାଲୁକରିଦେଲେ ସେତେବେଳେ ସୁଇଡେନ୍‌ ବ୍ୟବସାୟ ବାଣିଜ୍ୟ ଓ ଅନ୍ୟ ସଂଗଠନଗୁଡିକୁ ଖୋଲା ରଖିଲା, ଜନସାଧାରଣ ଏକାଠି ହେବାକୁ ୫୦ ଭିତରେ ରଖିଥିଲେ ବି ବେସରକାରୀ ଉତ୍ସବମାନଙ୍କରେ କଟକଣା ରଖିଲା ନାହିଁ, ସ୍କୁଲ, ମଲ୍‌ ଆଦି ଖୋଲା ରଖିଲା ା ମାସ୍କ ବ୍ୟବହାର ଉପରେ ଜୋର୍‌ ଦେଲା ନାହିଁ, କ୍ୱାରାଣ୍ଟାଇନ୍‌ କି କଣ୍ଟ୍ରାକ୍ଟ ଟ୍ରେସିଂ ଲାଗୁ କଲାନାହିଁ ା
ସୁଇଡେନରେ ମୃତ୍ୟୁହାର ଏବେ ବି ବଢିଚାଲିଛି, ଏ ଯାବତ୍‌ ହର୍ଡ ଇମୁନିଟି ଆସିନାହିଁ ା ମୃତ୍ୟୁ ଆଉ ଯନ୍ତ୍ରଣା ଛଡା ଆଉ କିଛି ଲାଭ ହୋଇନାହିଁ ା ଆମେରିକା ଯୁକ୍ତରାଷ୍ଟ୍ରରେ ବି ସେହି କଥା। ଏ ପରିସ୍ଥିତିକୁ କ’ଣ କହିବା, ହର୍ଡ ଇମୁନିଟି ନା ମାସ୍‌ ମର୍ଡର୍‌?
ସ୍ବାଭାବିକତାକୁ ଫେରିବା- ଏକ ପ୍ରକାରର ଜେଲ୍‌ରୁ ମୁକୁଳିବା- ବଡ ଆକର୍ଷଣୀୟ ଲାଗୁଛି। ଆମେରିକାରେ କେତେକ ବୁଦ୍ଧିଜୀବୀ ଦସ୍ତଖତ କରି ଏକ ଦରଖାସ୍ତ କରିଛନ୍ତି ତାକୁ ଗ୍ରେଟ୍‌ ବାରିଂଟନ୍‌ ଡିକ୍ଲାରେସନ୍‌ କୁହାଯାଉଛି। ଦରଖାସ୍ତକାରୀମାନେ ଚାହୁଁଛନ୍ତି ଲୋକଙ୍କୁ ସ୍ବାଭାବିକ ଜୀବନ ଯାପନ କରିବାକୁ ଛାଡିଦିଆଯାଉ, ସମସ୍ତେ ସଂକ୍ରମଣର ମୁହାଁମୁହିଁ ହୋଇଗଲେ ସାମାଜିକ ପ୍ରତିରୋଧ ଶକ୍ତି (ହର୍ଡ ଇମୁନିଟି) ଆସିଯିବ ା ସେମାନେ ତିନିଟା ବଡ କଥା ଭୁଲିଯାଉଛନ୍ତି ା ପ୍ରଥମ କଥା ହେଉଛି – ବିପଦ କମ୍‌ ଥିବା ଲୋକଙ୍କ ଭିତରେ ବି ବିପଦ ଆସିଯିବ, ଯେଉଁମାନେ ଧୀରେ ଧୀରେ ଭଲ ହୁଅନ୍ତି ସେମାନଙ୍କ ଉପରେ ବିପଦ ମାଡିଆସିବ, ଯେଉଁମାନଙ୍କଠାରେ ଲକ୍ଷଣ ଦିଶୁନାହିଁ ସେମାନଙ୍କ ହୃତପିଣ୍ଡ ଓ ଫୁସ୍‌ଫୁସ୍‌କୁ କ୍ଷତି ଆସିବ ା ଏକ ସର୍ଭେରୁ ଡାକ୍ତରମାନେ ଦେଖିଛନ୍ତି ପ୍ରତି ୧୦୦ ସୁସ୍ଥ ହୋଇଥିବା ରୋଗୀଙ୍କ ଭିତରୁ ୭୮ ଜଣଙ୍କ ହୃତପିଣ୍ଡ କ୍ଷତିଗ୍ରସ୍ତ ହୋଇଛି। ସେହିମାନଙ୍କ ଜୀବନର ସ୍ବାଚ୍ଛନ୍ଦ୍ୟ ପ୍ରଭାବିତ ହେବନାହିଁ କି ? ଦ୍ୱିତୀୟ କଥା ହେଉଛି ଯେଉଁମାନେ ବିପଦପ୍ରବଣ ସେମାନଙ୍କୁ କିପରି ରକ୍ଷା କରିବା ସେ ବିଷୟରେ ସେମାନେ ଭାବୁନାହାନ୍ତି ା ନାତିନାତୁଣୀକୁ ଜେଜେମାନଙ୍କ ପାଖକୁ ଛାଡିବ ନାହିଁ ସିନା, ଯେଉଁଠି ନାତିନାତୁଣୀ ଜେଜେ-ଜେଜେମା’ ସାଙ୍ଗରେ ଗୋଟିଏ ଘରେ ରହୁଛନ୍ତି ସେମାନଙ୍କ କଥା କ’ଣ ହେବ? ଯେଉଁ ମଧୁମେହୀ, କର୍କଟରୋଗରୁ ସଦ୍ୟବଞ୍ଚିତ ବା ମେଦବହୁଳ ଲୋକ ଘରଭିତରେ ଥିବ ଓ ନିଜ ନିଜର କାମରେ ଲାଗିଥିବ ତାକୁ କିପରି ରକ୍ଷା କରିବ? ତୃତୀୟ କଥାଟି ହେଉଛି – ଏ ବ୍ୟବସ୍ଥାରେ କେତେ ଲୋକ ମରିବେ ବାରିଂଟନ୍‌ ଘୋଷଣା ହିସାବ କରିନାହିଁ। ୟୁନିଭର୍ସିଟି ଅଫ୍‌ ୱାଶିଂଟନ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏଶନ୍‌ ଏକ ମଡେଲିଂ କରି ଦେଖାଇଛି ଯେ ସାହାଣ ମେଲା କରିଦେଲେ ଆସନ୍ତା ଫେବୃୟାରୀ ପହିଲା ସୁଦ୍ଧା ଆମେରିକାରେ ୫ ଲକ୍ଷ ୭୧ ହଜାର ୫୨୭ ଲୋକ ମରିଯିବେ ଏବଂ ଦୈନିକ ମୃତ୍ୟୁହାର ବଢିଚାଲିଥିବ ା କିନ୍ତୁ ଆଜିକାଲିକାର କଟକଣା ଚାଲୁ ରଖିଲେ ମାତ୍ର ୪ଲକ୍ଷ ୧୫ ହଜାର ମରିପାରନ୍ତି ା
କେତେକ ଗବେଷକ ଆଶାବାଦୀ ଯେ ୪୩ପ୍ରତିଶତ ଲୋକ ସଂକ୍ରମିତ ହୋଇଗଲେ ହର୍ଡ ଇମୁନିଟି ଆସିପାରେ ା ଜେଲ୍‌ମାନଙ୍କରୁ ଓ ଲାଟିିନ୍‌ ଆମେରିକାରୁ ଯାହା ତଥ୍ୟ ସଂଗ୍ରହ କରାଯାଇଛି ତହିଁରୁ ଜଣାପଡୁଛି ଯେ ୬୦ପ୍ରତିଶତରୁ ୭୦ପ୍ରତିଶତ ଯାଏ ସଂକ୍ରମିତ ନ ହେଲା ପଯର୍‌ୟନ୍ତ ମହାମାରୀ କମୁନାହିଁ ା ଆମେରିକାରେ ଏ ପଯର୍‌ୟନ୍ତ ୧୦ପ୍ରତିଶତ ଓ ଭାରତରେ ଏ ପଯର୍‌ୟନ୍ତ ୫ପ୍ରତିଶତ ସଂକ୍ରମିତ ହୋଇନାହାନ୍ତି ା ଭାରତରେ ୪୩ପ୍ରତିଶତ ମାନେ ତ ୬୫ କୋଟି ଲୋକ ା
ଲୋକଙ୍କୁ ଖୋଲା ଛାଡିଦେଲେ କେତେ ଭାରୀ ପଡିବ ତାହା ଦେଖିବା କଥା ା ଧରନ୍ତୁ ୪୦ପ୍ରତିଶତ ଲୋକ ସଂକ୍ରମିତ ହେଲେ ଯଦି ହର୍ଡ ଇମୁନିଟି ଆସିଯିବ ତା’ହେଲେ ବି ଆମେରିକାରେ ୮ ଲକ୍ଷ ଆମେରିକାନ୍‌ ମରିଯିବେ ବୋଲି ଆଇ.ଏଚ୍‌.ଏମ୍‌.ଇ. ଆକଳନ କରିଛି, କିନ୍ତୁ ପ୍ରକୃତ ମୃତ୍ୟୁ ସଂଖ୍ୟା ୧୦ଲକ୍ଷରୁ ବେଶି ହୋଇପାରେ ା ଏଥିଲାଗି ଦେଶକୁ କେତେ ମୂଲ୍ୟ ଦେବାକୁ ପଡିବ ଜାଣନ୍ତି କି? ସୁସ୍ଥ ହୋଇଥିବା ଲୋକଙ୍କ ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, ଓ ଅନ୍ୟ ଅଙ୍ଗମାନକୁ କି କି କ୍ଷତି ହୋଇପାରେ ଏବଂ ତାହା ଯଦି ମୃତ୍ୟୁକୁ ତ୍ୱରାନ୍ବିତ କରିଦିଏ ବା ଶାରୀରିକ ଅକ୍ଷମତା ଆଣେ ଏବଂ ଏ ଅକ୍ଷମତା କେତେ ବର୍ଷ ଧରି ରହିବ ତାହା ଆମକୁ ଜଣା ନ ଥାଏ, ତେବେ ପରିଣାମ କ’ଣ ହେବ? ୧୯୧୮ର ଇନ୍‌ଫ୍ଲୁଏଞ୍ଜା ମହାମାରୀର ପ୍ରତିକୂଳ ପ୍ରଭାବ କଥା ମନେପକାନ୍ତୁ, ଇନ୍‌ଫ୍ଲୁଏଞ୍ଜା ମହାମାରୀର ପ୍ରତିକୂଳ ପ୍ରଭାବ ୧୯୨୦ ଦଶକ ଓ ପରେ ଦେଖାଯାଇଥିଲା।
୧୯୧୯ରେ ଇନ୍‌ଫ୍ଲୁଏଞ୍ଜା ବ୍ୟାପିବାଟା ଶୀର୍ଷରେ ପହଞ୍ଚତ୍ବା ପରେ ଜନ୍ମ ନେଇଥିବା ପିଲାମାନେ ବଢିଲା ବେଳକୁ ଅସୁସ୍ଥ ହୋଇପଡିଥିବାର ଜଣାଅଛି ା
ଏକ୍ସପର୍ଟମାନେ କହନ୍ତି, ବୋଧହୁଏ ୧୯୨୦ ଦଶକ ଆରମ୍ଭ ବେଳକୁ ଏନ୍‌ସେଫାଲାଇଟିସ୍‌ ଲେଥାର୍ଜିକା ନାମକ ରୋଗ ମହାମାରୀର ରୂପ ନେଇଥିଲା ା ପିଲାମାନେ ଶୋଇରହିବା ଓ ଅଳସୁଆ ହେବା ଏକ ବେମାରୀ ହୋଇଗଲା ା ଅବଶ୍ୟ ପରେ ଏ ରୋଗ ଉଭେଇଯାଇଥିଲା ା ୧୯୧୮ର ମହାମାରୀ ଓ ଅନ୍ୟ ଭାଇରସମାନେ ପାର୍କିନସନ୍‌ ରୋଗ ଆଣିଛନ୍ତି ବୋଲି ବିଶେଷଜ୍ଞମାନେ କହିହେଲେ ା
ସୁଇଡେନକୁ ଉଦାହରଣ ଦେଉଥିବା ଲୋକେ ଜାଣନ୍ତି ଯେ ସୁଇଡେନ୍‌ ସରକାର ନାଗରିକମାନଙ୍କୁ ମାସ୍କ ଲଗାଇବାକୁ ବାଧ୍ୟ କରୁନାହିଁ ା ଅଥଚ ତାହାର ପଡୋଶୀ ରାଷ୍ଟ୍ର ଡେନ୍‌ମାର୍କ ଓ ନର୍‌ୱେ ସେମାନଙ୍କ ନାଗରିକମାନଙ୍କୁ ମାସ୍କ ଲଗାଇବାକୁ ବାଧ୍ୟ କରୁଛି ା
ସୁଇଡେନ୍‌ରେ ଲକ୍ଷେ ଲୋକଙ୍କ ପିଛା ମୃତ୍ୟୁହାର ଡେନମାର୍କ ତୁଳନାରେ ୫ ଗୁଣ ଓ ନର୍‌ୱେ ତୁଳନାରେ ୧୧ ଗୁଣ ବେଶି ା ଏପରି ମୃତ୍ୟୁ ହାର କ’ଣ ସୁଇଡେନରେ ଅର୍ଥନୈତିକ ଅଭିବୃଦ୍ଧି ଆଣିଲା କି? ନା ା ଗତ ତ୍ରୈମାସିକୀରେ ଡେନମାର୍କର ଜିଡିପି ୮.୩ପ୍ରତିଶତ ଓ ନର୍‌ୱେର ଜିଡିପି ୫.୧ପ୍ରତିଶତ କମିଥିଲା ବେଳେ ସୁଇଡେନର ଜିଡିପି ୮.୩ପ୍ରତିଶତ କମିଗଲା ା
ତା’ ହେଲେ କ’ଣ ଦେଶରେ ଅର୍ଥନୈତିକ କାଯର୍‌ୟକଳାପ ବନ୍ଦ ରହିବ? ଆଉ କ’ଣ କୋଭିଡ୍‌-୧୯ ସଂକ୍ରମଣ ରୋକିବାର ବିକଳ୍ପ ପନ୍ଥା ନାହିଁ। ଅଛି, ସଙ୍ଗରୋଧ (ସୋସିଆଲ୍‌ ଡିଷ୍ଟାନ୍ସିଂ) ମାନିବା, ଗହଳିକୁ ନ ଯିବା, ମୁଖା ପିନ୍ଧିବା, ହାତ ଧୋଇବା, ସଂସ୍ପର୍ଷରେ କିଏ ଆସିଛି ତାକୁ ଖୋଜି ତା’ର ଚିକିତ୍ସା ଦେଖିବା, ଲୋକମାନେ ନିଜେ ନିଜେ ଏକଲା ରହି (ଆତ୍ମସଂଯମ ବା ସେଲ୍ଫକ୍ୱାରାଣ୍ଟାଇନ ଅନୁସରଣ କରି) ସରକାରଙ୍କୁ ସାହାଯ୍ୟ କରିବା ଭଳି ଅବସ୍ଥା ଆଣିବାକୁ ପଡିବ, ସ୍କୁଲ କଲେଜ ଖୋଲିବା ବି ସେହି କଟକଣା ଭିତରେ ରହିବ, କୌଣସି ଅନୁଷ୍ଠାନ ପୂରାପୂରି ଏଭଳି କଟକଣା ନ ମାନିଲେ ତାହା ବନ୍ଦ ରଖାଯିବା ଉଚିତ ହେବ । ହର୍ଡ ଇମୁନିଟି ନାଁରେ ଲୋକଙ୍କୁ ମରିବାକୁ ଛାଡିବା ନାହିଁ ଏବଂ ଯଥେଷ୍ଟ ପରୀକ୍ଷା ନ କରି ତଥା ଉପଯୁକ୍ତ କଟକଣା ନ ରଖି ସାମୂହିକ ଟିକା ଦାନ ଆରମ୍ଭ କରିବା ନାହିଁ ।
Email:sahadevas@yahoo.com