Advertisement
Categories: ଖେଳ

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ

ଭୁବନେଶ୍ୱର,୨୨ା୧: ହକି ବିଶ୍ୱକପ୍‌ରେ ଭାରତକୁ ଲାଗିଛି ବଡ଼ ଝଟକା। ଶନିବାର ଭାରତର ଆଟାକିଂ ମିଡ୍‌ଫିଲ୍ଡର ହାର୍ଦ୍ଦିକ୍‌ ସିଂ ଆହତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ଗୋଲଶୂନ୍ୟ ମ୍ୟାଚ୍‌ର ଚତୁର୍ଥ କ୍ୱାର୍ଟରରେ ହାର୍ଦ୍ଦିକଙ୍କ ମାଂସପେଶୀ ଟାଣି ହୋଇ ଯାଇଥିଲା। ପ୍ରଥମେ ସେ ଓ୍ବେଲ୍ସ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ। ମାତ୍ର ସ୍କାନିଂ ପରେ ସେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ କ୍ରସ ଓଭର ମ୍ୟାଚ ରହିଛି। ଏହା ପୂର୍ବରୁ ହାର୍ଦ୍ଦିକ ବାଦ୍‌ ପଡିଥିବା ବେଳେ ରାଜକୁମାର ପାଲଙ୍କୁ ବଦଳ ଖେଳାଳି ଭାବରେ ସାମିଲ କରାଯାଇଛି। ଏଫ୍‌ଆଇଏଚ୍‌ ନିୟମ ଅନୁସାରେ ଯଦି ଜଣେ ଖେଳାଳିଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସାମିଲ କରାଯାଉଛି ତେବେ ପରେ ସେ ସୁସ୍ଥ ହେଲେ ମଧ୍ୟ ମ୍ୟାଚ୍‌ ଖେଳିବାକୁ ଦଳରେ ସାମିଲ ହୋଇପାରିବେନାହିଁ। ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ହାର୍ଦ୍ଦିକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ଦଳ ରାତାରାତି ଏହି ପରିବର୍ତ୍ତନ ସହିତ ଖାପ ଖୁଆଇବାକୁ ପ୍ରୟାସ କରିବ। ଆଘାତ ସମସ୍ୟା ଏତେଟା ଜଟିଳ ହୋଇନଥିଲେ ମଧ୍ୟ ଦଳ ପାଖରେ ସମୟ ନାହିଁ ବୋଲି କହିଛନ୍ତି ରିଡ୍‌। କେବଳ ଦଳ ପାଇଁ ନୁହେଁ ଏହା ହାର୍ଦ୍ଦିକଙ୍କ ପାଇଁ ମଧ୍ୟ ନିରାଶାଜନକ ଖବର। ଉଭୟ ସ୍ପେନ୍‌ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଥିଲା। ସ୍ପେନ୍‌ ବିପକ୍ଷରେ ଭାରତର ୨-୦ ବିଜୟରେ ହାର୍ଦ୍ଦିକ ଚମତ୍କାର ପ୍ରଦର୍ଶନ ସହିତ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ରାଜକୁମାରଙ୍କ ପରି ଖେଳାଳି ଦଳ ସହିତ ଯୋଗ ଦେଇଥିବାରୁ ଏହା ଆମ ପାଇଁ ଖୁସିର ଖବର ବୋଲି କହିଛନ୍ତି ରିଡ୍‌। ପୁଲ୍‌ ଡିରେ ଭାରତ ପଏଣ୍ଟ ଟେବଲରେ ଦ୍ୱିତୀୟ ସ୍ଥାନରେ ରହିବା କାରଣରୁ ଭାରତ କ୍ରସ୍‌ ବେଳେ କ୍ରସ୍‌ ଓଭର ମ୍ୟାଚ ଖେଳିବ।