ମୁମ୍ବାଇ,୮।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ। IPL 2025ର ୨୦ତମ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଗୋଟିଏ ଓଭରରେ RCBର ୨ ଜଣ ବଡ଼ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇଥିଲେ। ହାର୍ଦ୍ଦିକ ପ୍ରଥମେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବିରାଟ କୋହଲିଙ୍କ ଉଇକେଟ ନେଇଥିଲେ ଏବଂ ତା’ପରେ ଲିଆମ ଲିଭିଷ୍ଟୋନଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ଏହିପରି ହାର୍ଦ୍ଦିକ ଟି-୨୦ କ୍ରିକେଟରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ କ୍ରିକେଟରେ ୫୦୦୦ ରନ ଏବଂ ୨୦୦ ଉଇକେଟ ନେବାରେ ପ୍ରଥମ ଭାରତୀୟ ଅଲରାଉଣ୍ଡର ହୋଇଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ଏହି ଚମତ୍କାର କରିପାରି ନ ଥିଲେ। ହାର୍ଦ୍ଦିକଙ୍କ ନାମରେ ଟି-୨୦ କ୍ରିକେଟରେ ୫୩୯୦ ରନ ଅଛି। ହାର୍ଦ୍ଦିକ ଟି-୨୦ରେ ୫୦୦୦ ରନ ଏବଂ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ୧୨ତମ ଖେଳାଳି।
ବିରାଟ ଏବଂ ଲିଭିଙ୍ଗଷ୍ଟୋନଙ୍କୁ ଆଉଟ କରିବା ମାତ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ କ୍ରିକେଟ୍ରେ ତାଙ୍କର ୨୦୦ ଉଇକେଟ ପୂରଣ କରିଥିଲେ। ପାଣ୍ଡ୍ୟା ୨୯୧ତମ ଟି-୨୦ ମ୍ୟାଚ୍ର ୨୩୨ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ହାର୍ଦ୍ଦିକ ଟି-୨୦ କ୍ରିକେଟରେ ୨୦୦ ୱିକେଟ ହାସଲ କରିବାରେ ୧୭ତମ ଭାରତୀୟ ବୋଲର। ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ଚହଲ ୩୬୫ଟି ଉଇକେଟ ନେଇଛନ୍ତି। କେବଳ ୪ ଜଣ ବୋଲର ଟି-୨୦ରେ ୩୦୦ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାର ସଫଳତା ପାଇଛନ୍ତି। ଚହଲଙ୍କ ବ୍ୟତୀତ ଏଥିରେ ପୀୟୁଷ ଚାୱଲା, ଆର ଅଶ୍ୱିନ ଏବଂ ଭୁବନେଶ୍ୱର କୁମାର ଅଛନ୍ତି।