Categories: ଖେଳ

କେବେ ଦୁଇବେଳା ମ୍ୟାଗି ଖାଇ ରହୁଥିଲେ, ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ପାଣ୍ଡ୍ୟା ବ୍ରଦର୍ସ

ନୂଆଦିଲ୍ଲୀ,୨୬।୧୦: ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମୁକାବିଲାରେ ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଥବେ ବୋଲିଂ ଆଉ ପରେ ବ୍ୟାଟିଂରେ ଚମକିଥିଲେ ସେ। ମ୍ୟାଚ୍‌ ଶେଷ ହେବା ପରେ ହାର୍ଦ୍ଦିକ ଭାବବିହ୍ବଳ ହେବା ଦେଖାଯାଇଥିଲା। ସେ ନିଜର ଦିବଂଗତ ବାପାଙ୍କୁ ମନେ ପକାଇଥିଲେ।

ଦେଖିବାକୁ ଗଲେ ହାର୍ଦ୍ଦିକ ଏବଂ ତାଙ୍କ ଭାଇ କ୍ରୁନାଲଙ୍କର କ୍ରିକେଟର ଭାବେ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ। ଭାରତ ପାଇଁ ଖେଳିବା ପର୍ଯ୍ୟନ୍ତର ଯାତ୍ରା ସେତେଟା ସହଜ ନ ଥିଲା। ଉଭୟ ଗରିବ ପରିବାରରେ ଦିନ ବିତାଇଥିଲେ। କାରଣ ବାପା ହିମାଂଶୁଙ୍କୁ କ୍ରିକେଟ ପସନ୍ଦ ଥିବାରୁ ସେ ପୁଅ ଦୁହିଁଙ୍କୁ କ୍ରିକେଟର କରିବା ଲାଗି ‘କାର୍‌ ଫାଇନାନ୍ସ ବ୍ୟବସାୟ’କୁ ବନ୍ଦ କରି ବଡୋଦରା ସିଫ୍ଟ ହୋଇଥିଲେ। ସେତେବେଳେ ହାର୍ଦ୍ଦିକଙ୍କୁ ୫ ବର୍ଷ ଏବଂ କ୍ରୁଣାଳଙ୍କୁ ୭ ବର୍ଷ ହୋଇଥିଲା। ହିମାଂଶୁ ଚାହୁଁଥିଲେ ତାଙ୍କ ପୁଅମାନେ ଭଲ କ୍ରିକେଟ ଟ୍ରେନିଂ ନିଅନ୍ତୁ। ଏଥିଲାଗି ବଡୋଦରାର ‘କିରନ ମୋରେ କ୍ରିକେଟ ଏକାଡେମୀ’ରେ ଉଭୟଙ୍କ ନାମ ଲେଖାଇଥିଲେ। ହାର୍ଦ୍ଦିକ ଭଲ ପଢ଼ୁ ନ ଥିବାରୁ ନବମ ଶ୍ରେଣୀରେ ଫେଲ ହୋଇଥିଲେ। ପରେ କ୍ରିକେଟର କିରଣ ମୋରେ ତାଙ୍କୁ ପ୍ରାୟ ୩ ବର୍ଷ ଯାଏ ମାଗଣା ଟ୍ରେନିଂ ଦେଇଥିଲେ।

ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ପାଣ୍ଡ୍ୟା ପରିବାର ଏକ ଭଡ଼ା ଘରେ ରହୁଥିଲେ। ଏପରିକି ଦିନକୁ ଦୁଇବେଳା ମ୍ୟାଗି ହିଁ ଖାଉଥିଲେ। ଅନ୍ୟଠାରୁ ମାଗି କ୍ରିକେଟ ସାମଗ୍ରୀକୁ ବ୍ୟବହାର କରୁଥିଲେ। ଦୁଇ ଭାଇ ୪୦୦ରୁ ୫୦୦ ଟଙ୍କା ରୋଜଗାର କରିବାକୁ ପାଖ ଗାଁରେ ହେଉଥିବା କ୍ରିକେଟ ଟୁର୍ନାମେଣ୍ଟରେ ଖେଳିବାକୁ ଯାଉଥିଲେ।

୨୦୧୦ରେ ହାର୍ଦ୍ଦିକଙ୍କ ବାପାଙ୍କୁ ଦୁଇଥର ହୃଦ୍‌ଘାତ ହୋଇଥିଲା। ଏହାପରେ ସେ ଚାକିରି ଛାଡ଼ିଥିଲେ। ପରେ ଘରର ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ମାତ୍ର ଧିରେ ଧିରେ ସମୟ ବଦଳିଥିଲା। ଉଭୟ ଭାଇ କ୍ରିକେଟଜଗତରେ ନାଁ କମାଇଥିଲେ। ଆଇପିଏଲ ସେମାନଙ୍କର ଭାଗ୍ୟ ବଦଳାଇବାରେ ସହାୟକ ହୋଇଥିଲା। ଏବେ ଦୁଇ ଭାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ହାର୍ଦ୍ଦିକ-କ୍ରୁଣାଳ ନିଜର ବିଳାସପୂର୍ଣ୍ଣ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବିଶେଷକରି ଦାମୀ ଗାଡ଼ି, ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ।

Share