ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ଶେଷ ହେବା ପରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହି ସିରିଜ ଲାଗି ଖୁବ୍ଶୀଘ୍ର ଟିମ୍ ଇଣ୍ଡିଆର ଘୋଷଣା ହୋଇପାରେ। ତେବେ ସିରିଜରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ଅଛି। ସେମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା, ଉପଅଧିନାୟକ କେ.ଏଲ ରାହୁଲ, ବିରାଟ କୋହଲି, ଜସପ୍ରିତ ବୁମ୍ରା ପ୍ରମୁଖ ରହିଛନ୍ତି। ଯଦି ଏପରି ହୁଏ ତେବେ ଦଳର ନେତୃତ୍ୱ କିଏ ନେବେ ସେ ନେଇ ଆଲୋଚନା ବଢ଼ିବାରେ ଲାଗିଛି।
ଏକ ରିପୋର୍ଟ ଅନୁଯାୟୀ ଶିଖର ଧାଓ୍ବନ ନଚେତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣେ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି। ଧାଓ୍ବନ ପ୍ରଥମରୁ ଜାତୀୟ ଦଳର ନେତୃତ୍ୱ ନେଇଥିବା ବେଳେ ହାର୍ଦ୍ଦିକ ଚଳିତ ଆଇପିଏଲ୍ରେ ଅଧିନାୟକ ଭାବେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ଏଣୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ। ଆଗାମୀ ଦିନରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି।