Categories: ଖେଳ

ଇତିହାସ ରଚିଲେ ପାଣ୍ଡ୍ୟା

ମାଞ୍ଚେଷ୍ଟର,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଶେଷ ମ୍ୟାଚ ରବିବାର ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ରୋମାଞ୍ଚକର ବିଜୟ ହାସଲ କରି ସିରିଜ ଜିତିଛି। ଏହି ଐତିହାସିକ ବିଜୟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସର୍ବାଧିକ ହାତ ଥିଲା। ଏହି ମ୍ୟାଚରେ ପାଣ୍ଡ୍ୟା ଅଲରାଉଣ୍ଡର ଖେଳ ପ୍ରଦର୍ଶନ କରି ଏକ ଏମିତି ରେକର୍ଡ ସୃଷ୍ଟି କରିଥିଲେ, ଯାହା ପୂର୍ବରୁ କୌଣସି ଭାରତୀୟ କରିପାରି ନ ଥିଲେ।
ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ୭ ଓଭରରେ ମାତ୍ର ୨୪ ରନ ଦେଇ ୪ଟି ଉଇକେଟ ନେଇଥିଲେ। ସେହିପରି ବ୍ୟାଟିଂରେ ମଧ୍ୟ ପାଣ୍ଡ୍ୟା ଏକ ବଡ଼ ଇନିଂସ ଖେଳିଥିଲେ। ସେ ୧୦ଟି ଚୌକା ସହାୟତାରେ ୫୫ ବଲରେ ୭୧ ରନ ସଂଗ୍ରହ କରିଥିଲେ। ତିନୋଟି ଫର୍ମାଟର ଗୋଟିଏ ମ୍ୟାଚରେ ୫୦ରୁ ଅଧିକ ରନ ଏବଂ ୪ଟି ଉଇକେଟ ନେବାରେ ସେ ପାଣ୍ଡ୍ୟା ବର୍ତ୍ତମାନ ପ୍ରଥମ ଭାରତୀୟ ଖେଳାଳି ହୋଇପାରିଛନ୍ତି। ବିଶେଷ କଥା ହେଉଛି ସମସ୍ତ ତିନୋଟି ଫର୍ମାଟରେ ପାଣ୍ଡ୍ୟା କେବଳ ଇଂଲଣ୍ଡ ବିପକ୍ଷରେ ଏହି ପ୍ରଦର୍ଶନ କରିଛନ୍ତି।
ଗୋଟିଏ ଦିନିକିଆ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୫୦ରୁ ଅଧିକ ରନ ସଂଗ୍ରହ କରି ଚାରିରୁ ଅଧିକ ଉଇକେଟ ନେବାରେ ସେ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି। ପାଣ୍ଡ୍ୟାଙ୍କ ପୂର୍ବରୁ କେ ଶ୍ରୀକାନ୍ତ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଯୁବରାଜ ସିଂ ଏହି ରେକର୍ଡ କରିଛନ୍ତି, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ ବାହାରେ ଏହି ସଫଳତା ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ବାକି ଖେଳାଳିମାନେ ଏସୀୟ ପଡିଆରେ ଏହା କରିଥିଲେ।

Share