ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ, ଏହି ଭୁଲ୍‌ ପାଇଁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ସିଜିନର ପ୍ରଥମ ମ୍ୟାଚ ଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ତାଙ୍କ ପକ୍ଷରୁ ଏକ ବଡ଼ ଭୁଲ ହୋଇଯାଇଥିଲା। ଯେଉଁଥିଲାଗି ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି।

ଶନିବାର ଖେଳାଯାଇଥିବା ମ୍ୟାଚ୍‌ ସମୟରେ ମୁମ୍ବାଇ ଅଧିନାୟକ ପାଣ୍ଡ୍ୟାଙ୍କୁ ସ୍ଲୋ ଓଭର ରେଟ୍‌ ପାଇଁ ଜରିମାନା ଲଗାଯାଇଛି। ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ପ୍ରଥମ ଅପରାଧ ଏବଂ ପାଣ୍ଡ୍ୟାଙ୍କୁ କେବଳ ଜରିମାନା ଦେବାକୁ ପଡିଛି। ଯାହାର ଅର୍ଥ ହେଲା ହାର୍ଦ୍ଦିକଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଗତ ସିଜିନରେ ମଧ୍ୟ ହାର୍ଦ୍ଦିକଙ୍କଠାରୁ ଅନେକ ମ୍ୟାଚ୍‌ରେ ଏପରି ଭୁଲ ଦେଖିବାକୁ ମିଳିଥିଲା।

ଆଇପିଏଲ ତାର ପ୍ରେସ ରିଲିଜରେ କହିଛି, ‘ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଆଇପିଏଲ ୨୦୨୫ ର ୯ ନମ୍ବର ମ୍ୟାଚ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକଙ୍କ ଦଳ ଧୀର ଓଭର-ରେଟ୍‌ ବଜାୟ ରଖିବାରୁ ତାଙ୍କୁ ଜରିମାନା କରାଯାଇଛି। ଯେହେତୁ ଏହା IPL ଆଚରଣ ସଂହିତାର ଧାରା ୨.୨ ଅନୁଯାୟୀ ସିଜନରେ ତାଙ୍କ ଦଳର ପ୍ରଥମ ଅପରାଧ ଥିଲା, ଯାହା ସର୍ବନିମ୍ନ ଓଭର-ରେଟ ଅପରାଧ ସହିତ ଜଡିତ, ତେଣୁ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।’

ଗତ ସିଜିନରେ ମୁମ୍ବାଇର ଶେଷ ମ୍ୟାଚ୍‌ରେ ହାର୍ଦ୍ଦିକଙ୍କୁ ସ୍ଲୋ ଓଭର ରେଟ ଯୋଗୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା। ଫଳରେ ସେ ଏହି ସିଜିନର ପ୍ରଥମ ମ୍ୟାଚ ଖେଳିପାରିଲେ ନାହିଁ। କିନ୍ତୁ ଏବେ ଫେରିବା ପରେ ତାଙ୍କୁ ଏହି ବଡ଼ ଝଟକା ଲାଗିଛି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିପାରି ନଥିଲା। ଯାହା କାରଣରୁ ତାଙ୍କୁ ଗୁଜରାଟ ଇନିଂସର ଶେଷ ଓଭରରେ ଦଣ୍ଡ ଦିଆଯାଇଥିଲା। ଏହି ଓଭରରେ ତାଙ୍କୁ ୩୦ ୟାର୍ଡ ସର୍କଲରେ ଜଣେ ଅତିରିକ୍ତ ଫିଲ୍ଡର ରଖିବାକୁ ପଡିଲା।

Share
Tags: Sports News