Categories: ଖେଳ

ଟିମ୍‌ ଇଣ୍ଡିଆ ପାଇଁ ଭଲ ସଙ୍କେତ

କଲମ୍ବୋ,୬।୭: ଟି୨୦ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ରେ ବୋଲିଂ କରିବାକୁ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ନିକଟତର ହେଉଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ ଶ୍ରୀଲଙ୍କାରେ ସାଥି ଖେଳାଳିଙ୍କ ସହ ଆଗାମୀ ସୀମିତ ଦିନିକିଆ ଓ ଟି୨୦ ସିରିଜ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଟ୍ରେନିଂରେ ସେ ଖୁବ୍‌ ବୋଲିଂ କରୁଥିବା ସୂଚନା ଦେଇଛନ୍ତି ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ।

ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ହାର୍ଦ୍ଦିକ ବୋଲିଂ କରିଥିଲେ। ଏପରି କି ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ଜଟିଳ ପରିସ୍ଥିତିରେ ସେ ଭଲ ବୋଲିଂ କରିଥିଲେ। କିନ୍ତୁ ଆଇପିଲରେ ତାଙ୍କ ବୋଲିଂ ଦେଖିବାକୁ ମିଳି ନ ଥିଲା। ମୋ ମତରେ ଟିମ୍‌ ମ୍ୟାନେଜମେଣ୍ଟ ଓ ହାର୍ଦ୍ଦିକଙ୍କୁ ନିଜ ଦାୟିତ୍ୱ ସମ୍ପର୍କରେ ଜଣାଅଛି। ସେ ଇଣ୍ଟ୍ରା ସ୍କ୍ବାଡ୍‌ ଓ ନେଟ୍ସରେ ବୋଲିଂ କରୁଛନ୍ତି। ଟି୨୦ ବିଶ୍ୱକପ୍‌ ପୂର୍ବରୁ ଏହା ଭାରତୀୟ ଦଳ ପାଇଁ ଭଲ ସଙ୍କେତ ବୋଲି ସୂର୍ଯ୍ୟକୁମାର ଯାଦବ କହିଛନ୍ତି।

ପିଠି ଜନିତ ସମସ୍ୟାରୁ ମୁକୁଳିବା ପରେ ହାର୍ଦ୍ଦିକ ନିୟମିତ ବୋଲିଂ କରୁ ନାହାନ୍ତି। ଏହି କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଗତ ମାସରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ରେ ହାର୍ଦ୍ଦିକଙ୍କ ଅନୁପସ୍ଥିତି ଅନୁଭବ କରିଥିଲା ଟିମ୍‌ ଇଣ୍ଡିଆ।

Share