Categories: ଖେଳ

ଏସିଆ କପ୍‌ ପୂର୍ବରୁ ନୂଆ ଲୁକ୍‌ରେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୬।୮: ଅଗଷ୍ଟ ୧୮ରୁ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ। ଏହାକୁ ନେଇ କେଏଲ୍‌ ରାହୁଲ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଜିମ୍ବାଓ୍ବେ ଗସ୍ତ କରିଛି। ହେଲେ ଏହି ସିରିଜରେ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି। ସେମାନେ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ଏସବୁ ମଧ୍ୟରେ ନୂଆ ଲୁକ୍‌ରେ ନଜର ଆସିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ନିଜର ହେୟାରଷ୍ଟାଇଲ୍‌ ପରିବର୍ତ୍ତନ କରିଛନ୍ତି। ଲୋକପ୍ରିୟ ହେୟାରଷ୍ଟାଇଲିଷ୍ଟ ଆଲିମ ହକିମ ହାର୍ଦ୍ଦିକଙ୍କୁ ନୂଆ ଲୁକ୍‌ ଦେଇଛନ୍ତି। ଏହି ଲୁକ୍‌ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି। ସେମାନଙ୍କ ମଧ୍ୟରୁ କିଛି ‘ବାପ୍ପାରେ ବାପ୍ପା’ କମେଣ୍ଟ କରୁଥିବା ଦେଖାଯାଉଛି।

କହିରଖୁଛୁ, ଟି୨୦ ବିଶ୍ୱକପ୍‌ ୨୦୨୧ ପରେ ହାର୍ଦ୍ଦିକ କିଛି ସମୟ ପାଇଁ ଦଳରୁ ବାହାରେ ଥିଲେ। ହେଲେ ଆଇପିଏଲ୍‌ ୨୦୨୨ରେ ସେ ନୂଆ  ନେତୃତ୍ୱ ନେଇ ଗୁଜରାଟ ଟାଇଟନ୍ସକୁ ଚାମ୍ପିୟନ କରିଥିଲେ। ଏହାପରେ ହାର୍ଦ୍ଦିକ ଟିମ ଇଣ୍ଡିଆକୁ ଫେରି ଲଗାତାର ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଏବେ ଏସିଆ କପ୍‌ରେ ଏହି ଅଲରାଉଣ୍ଡରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ଅଛି। କାରଣ ସେ ବ୍ୟାଟିଂ ସହ ବୋଲିଂରେ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି। ଏପରିକି ସେ ଯଦି ଫର୍ମରେ ରୁହନ୍ତି ତେବେ ସେ ବିରୋଧୀ ଟିମ୍‌ର ଚିନ୍ତା ବଢ଼ାଇପାରନ୍ତି। ଏଯାବତ ସେ ଟିମ୍‌ ଇଣ୍ଡିଆ ପକ୍ଷରୁ ୬୭ ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ ସେ ୮୩୪ ରନ୍‌ ସହ ୫୦ ଉଇକେଟ ନେଇଛନ୍ତି।

Share