ନୂଆଦିଲ୍ଲୀ,୧।୮: ପିତା ହୋଇଛନ୍ତି ଭାରତୀୟ ଟିମ୍ର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ନିକଟରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା ବେଳେ ଏବେ ଆଉ ଏକ ଫଟୋ ଶେୟାର କରିଛନ୍ତି। ଇନ୍ଷ୍ଟାରେ ଫଟୋଟିକୁ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି ଭଗବାନଙ୍କ ଆଶୀର୍ବାଦ। ଯେଉଁଥିରେ ହାର୍ଦ୍ଦିକ ତାଙ୍କ ପୁଅକୁ କୋଳରେ ଧରିଥିବା ଦେଖିବାକୁ ମିଳୁଛି। ତାଙ୍କ ମୁହଁରୁ ସେ କେତେ ଖୁସି ତାହା ସ୍ପଷ୍ଟ ହେଉଛି।
ତେବେ ଜୁଲାଇ ୩୦ରେ ହାର୍ଦ୍ଦିକଙ୍କ ଘରକୁ ନୂଆ ଅତିଥି ଆସିଛି। ଏହାକୁ ନେଇ ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ପୂର୍ବରୁ ହାର୍ଦ୍ଦିକ ପ୍ରେମିକା ନତାଶା ଷ୍ଟାନ୍କୋଭିକ୍ଙ୍କୁ ନିର୍ବନ୍ଧ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। କରୋନାକୁ ନେଇ ଲକ୍ଡାଉନ୍ ଚାଲିଥିବା ବେଳେ ସେ ବିବାହ ମଧ୍ୟ କରି ନେଇଛନ୍ତି। ଏବେ ପିତା ହେବା ପରେ ତାଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି।