Categories: ଖେଳ

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଇଥିବା ପିଚ୍‌ରେ ୨ଟି ଯାକ ଦଳ ଅଲ୍‌ଆଉଟ ହୋଇଥିବାବେଳେ ବାଜି ମାରିଥିଲା କୋଲକାତା। ନାଇଟ ରାଇଡର୍ସ ୧୯.୫ ଓଭରରେ ୧୬୯ ରନକରି ସମସ୍ତ ଉଇକେଟ ହରାଇଥିଲା।

ଜବାବରେ ମୁମ୍ବାଇ ୧୮.୫ ଓଭରରେ ୧୪୫ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ମୁମ୍ବାଇ ପକ୍ଷରୁ କେବଳ ସୂର୍ଯ୍ୟକୁମାର ଯାଦବ (୫୬ ରନ, ୩୫ ବଲ, ୬ ଚୌକା, ୨ ଛକା) ଓ ଟିମ୍‌ ଡାଭିଡ୍‌ (୨୪ ରନ, ୨୦ ବଲ, ୧ ଚୌକା, ୧ ଛକା)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ତିଷ୍ଠିପାରି ନ ଥିଲେ।

କୋଲକାତା ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୪ଟି ଏବଂ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ୨ଟି ଲେଖାଏ ଉଇକେଟ ନେଇଥିଲେ। ୧୧ ମ୍ୟାଚରୁ ୮ମ ପରାଜୟ ଫଳରେ ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ ହୋଇଛି। ଅନ୍ୟପକ୍ଷରେ କୋଲକାତା ୭ମ ବିଜୟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।

ମୁମ୍ବାଇ ଟସ୍‌ ଜିତି ଫିଲ୍ଡିଂ ନେବାପରେ ଘାତକ ବୋଲିଂ କରିଥିଲେ ନୂଓ୍ବାନ ଥୁସାରା। ସେ ଟପ୍‌ ଅର୍ଡରର ୩ ପ୍ରମୁଖ ବ୍ୟାଟର ଫିଲିପ୍‌ ସଲ୍ଟ ୫, ଅଙ୍କକ୍ରିଶ୍‌ ରଘୁବଂଶୀ ୧୩ ଓ ଅଧିନାୟକ ଶ୍ରେୟସ ଆୟରଙ୍କୁ ୬ ରନରେ ଆଉଟ କରି କୋଲକାତାକୁ ବ୍ୟାକ୍‌ଫୁଟରେ ପହଞ୍ଚାଇଥିଲେ।

ଏହାପରେ ସୁନୀଲ ନାରିନଙ୍କୁ ହାର୍ଦ୍ଦିକ ଓ ରିଙ୍କୁ ସିଂଙ୍କୁ ପୀୟୂଷ ଚାଓ୍ବଲା ପ୍ୟାଭିଲିୟନ ପଠାଇବାରୁ ୬.୧ ଓଭର ବେଳକୁ କୋଲକାତା ସ୍କୋର ୫୭/୫ ହୋଇ ଯାଇଥିଲା। ଇମ୍ପାକ୍ଟ ପ୍ଲେୟର ମନୀଷ ପାଣ୍ଡେ ଓ ଭେଙ୍କଟେଶ ଆୟର ୬ଷ୍ଠ ଉଇକେଟରେ ୮୩ ରନ ଯୋଗକରି ଦଳକୁ ଲଜ୍ଜାଜନକ ସ୍ଥିତିରୁ ମୁକୁଳାଇ ଥିଲେ। ୩୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମନୀଷ ୨ଟି ଲେଖାଏ ଚୌକା ଓ ଛକା ସହାୟତାରେ ୪୨ ରନ କରିଥିଲେ। ୫୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଭେଙ୍କଟେଶ୍‌ ୬ ଚୌକା ଓ ୩ ଛକା ସହ ସର୍ବାଧିକ ୭୦ ରନ ସ୍କୋର କରି ଶେଷ ଖେଳାଳିଭାବେ ଆଉଟ ହୋଇଥିଲେ। ମୁମ୍ବାଇ ପକ୍ଷରୁ ଥୁସାରା ଓ ବୁମ୍‌ରା ୩ଟି ଲେଖାଏ, ହାର୍ଦ୍ଦିକ ୨ଟି ଓ ଚାଓ୍ବଲା ଗୋଟିଏ ଉଇକେଟ ନେଇଥିଲେ।

Share